କେରଳ ରାଜ୍ୟପାଳଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା
କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ କୁ ବୃଦ୍ଧି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ବିବାଦ ପରେ ରାଜ୍ୟପାଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ରାଜଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
‘ଏକ୍ସ’ରେ ଏକ ପୋଷ୍ଟରେ କେରଳ ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ ସିଆରପିଏଫ୍ ଯବାନଙ୍କୁ ନେଇ ଜେଡ୍ ପ୍ଲସ୍ ସୁରକ୍ଷା ରାଜ୍ୟପାଳ ଏବଂ ରାଜଭବନକୁ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେରଳ ରାଜଭବନକୁ ଜଣାଇଛି ଯେ ରାଜ୍ୟପାଳ ଏବଂ ରାଜଭବନର ସୁରକ୍ଷାକୁ ‘ଜେଡ୍ ପ୍ଲସ୍’ ବର୍ଗକୁ ବୃଦ୍ଧି କରାଯାଇଛି।
କିଛିଦିନ ତଳେ ଶାସକ ସିପିଆଇ(ଏମ୍)ର ଯୁବ ଛାତ୍ର ଦଳ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ରାଜ୍ୟପାଳଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ରାଜ୍ୟପାଳ ଏକ କାର୍ଯ୍ୟରେ ଯିବା ସମୟରେ ଛାତ୍ର ନେତା ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଟକାଇ ରାସ୍ତାରୋକ କରିଥିଲେ। ଏଥିରେ ରାଜ୍ୟପାଳ ଆରିଫ ରାଗିଯାଇ ଗାଡିରୁ ଓହ୍ଲାଇ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରୁ ବିକ୍ଷୋଭକାରୀଙ୍କୁ ହଟାଇଥିଲା। କିନ୍ତୁ ରାଜ୍ୟପାଳ ଖାନ ଏକ ଦୋକାନରୁ ଚେୟାର ଆଣି ସେହିଠାରେ ହିଁ ବସି ରହିଥିଲେ। ପୁଲିସ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହେଉଛି ବୋଲି ରାଜ୍ୟପାଳ ଅଭିଯୋଗ କରିଥିଲେ।
Powered by Froala Editor