ନକଲି ଆର୍ମି ଗାଡ଼ିକୁ ଧରିଲେ ଅସଲି ମାଲିକ, ତାପରେ ଜାଣନ୍ତୁ କ’ଣ ହେଲା...
ଭୁବନେଶ୍ୱରରୁ ଧରାପଡ଼ିଛି ନକଲି ଆର୍ମି ଅଫିସର ଗାଡି । ନକଲି ଗାଡି ଧରି ଅଭିଯୁକ୍ତ ଜଣଙ୍କ ଖୁଲମଖୁଲ୍ଲା ଟ୍ରାଫିକ୍ ନିୟମ ଭାଙ୍ଗୁଥିଲେ । ତେବେ ଗାଡିର ଅସଲି ମାଲିକ ହିଁ ନକଲି ଗାଡିର ପର୍ଦ୍ଦାଫାସ କରିଛନ୍ତି । ଅସଲି ଗାଡି ମାଲିକଙ୍କ ଠାରୁ ସତ ଜାଣିଲା ପରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି ।
ପୋଲିସ ରିପୋର୍ଟ ଅନୁଯାୟୀ, ଓଡି-୦୨ୱାଇ-୦୦୨୩ ନମ୍ବର ଥିବା ଏକ କଳା ରଙ୍ଗର ଦାମୀ ଏସ୍ୟୁଭି ମଡେଲ ଗାଡିରେ ଆର୍ମି ଲେଖା ହେବା ସହ ହାଇ ସିକ୍ୟୁରିଟି ଜୋନ୍ରେ ଗାଡିଟି ଘୁରିବୁଲୁଥିଲା । ଏହି ଗାଡିଟି ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିଲା । ଏପରିକି ଗାଡି ମାଲିକଙ୍କୁ ୧୦ ହଜାରରୁ ଅଧିକ ଟଙ୍କାର ଚାଲାଣ ବି ଯାଇଥିଲା । ତେବେ ଗାଡି ମାଲିକ ଏ ନେଇ ଚକିତ ହୋଇଥିଲେ । କାହିଁକି ନା ଏହି ଗାଡିରେ ଥିବା ପ୍ରକୃତ ନମ୍ବରର ଗାଡି ମାଲିକ ହେଉଛନ୍ତି ଧନଂଜୟ ହୋତା । ତାଙ୍କ ଗାଡି ଘରେ ଥିବାବେଳେ ଚାଲାଣ କଟିବା ତାଙ୍କ ହୋସ୍ ଉଡାଇ ଦେଇଥିଲା ।
ଘଟଣାର ସତ୍ୟାସତ୍ୟ ଜାଣିବାକୁ ଖୋଦ ଧନଂଜୟ ଖୋଳତାଡ କରିଥିଲେ । ଶେଷରେ ସାମ୍ନାକୁ ଆସିଥିଲା ଅସଲ ଘଟଣା । ଗତକାଲି ଏହି ଦାମୀ ଏସ୍ୟୁଭି ଗାଡିିକୁ ଧନଂଜୟ ଜୟଦେବ ବିବାହର ଛକରେ ଅଟକାଇବାକୁ ସଫଳ ହୋଇଥିଲେ । ହେଲେ ଗାଡି ଭିତରୁ ଜଣେ ଯୁବକ ହଠାତ୍ ବାହାରି ନିଜକୁ ଆର୍ମି ଅଫିସର ରତିକାନ୍ତ କହିବା ସହ ଧମକ ଦେବାକୁ ବି ପଛାଇନଥିଲା । ଘଟଣାସ୍ଥଳରେ ପୋଲିସ ପହଂଚିବା ପରେ ସଂପୃକ୍ତ ଯୁବକ ଜଣକ ସତ ଓଗାଳିଥିଲା ।
ରତିକାନ୍ତ ଆର୍ମି ଅଫିସର ନୁହେଁ ବରଂ ଜଣେ ସଫ୍ଟୱେୟାର ଇଂଜିନିୟର । ଗାଡିଟିକୁ ରତିକାନ୍ତ ଜଣେ ଆଳୁ ବ୍ୟବସାୟୀଙ୍କ ନିକଟରୁ କିଣିଥିବା ଓ ମାଲିକାନା ବଦଳିନଥିବା କହିଥିଲେ । ତେବେ ଯୁବକଙ୍କ କଥା ଗ୍ରହଣୀୟ ନହେବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆଳୁ ବ୍ୟବସାୟୀ , ଗାଡି କିଣା ସତ୍ୟତା ଓ ରତିକାନ୍ତଙ୍କ ବୟାନ କେତେଦୂର ସତ ତାହା ଏବେ ବି ରହସ୍ୟ ଘେରରେ । ଗୋଟିଏ ପଟେ ରତିକାନ୍ତଙ୍କ ବୟାନକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଆଳୁ ବ୍ୟବସାୟୀକୁ ପୋଲିସ ଖୋଜିବାକୁ ଚେଷ୍ଟା କରୁଛି । ତେବେ ରତିକାନ୍ତ ନକଲି ଗାଡି ଧରି ନିଦ୍ୱନ୍ଦ୍ୱରେ ଘୂରିବୁଲିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏସବୁ ପଛରେ ଆଉ କିଛି କାରଣ ଥାଇପାରେ ବୋଲି ପୁଲିସ ଖୋଳତାଡ କରୁଛି ।
Powered by Froala Editor