ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍
ପ୍ରଥମ ଥର ପାଇଁ ଦେଶରେ ଚାଲିଲା ହାଇଡ୍ରୋଜେନ୍ ଟ୍ରେନ୍ । ହରିୟାଣାର ଜିନ୍ଦରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟ୍ରେନ ଜିନ୍ଦରୁ ହରିୟାଣାର ସୋନିପତ ପର୍ଯ୍ୟନ୍ତ ଚାଲିଥିଲା, ଯାହାକି ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ୮୯ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ଏହି ଟ୍ରେନ୍ ଭଡ଼ା ସର୍ବନିମ୍ନ ୫ ଟଙ୍କା ରୁ ସର୍ବାଧିକ ୨୫ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଏହାର ୧୨ଟି ଷ୍ଟେସନ୍ ଦେଇ ଯାତ୍ରା କରିବାକୁ ଦୁଇ ଘଣ୍ଟା ସମୟ ଲାଗିବ।
ଏଥିସହିତ ହାଇଡ୍ରୋଜେନ୍ ପାୱାର ଟ୍ରେନ୍ ଚଳାଉଥିବା ବିଶ୍ବର ହାତଗଣତି ଦେଶ ତାଲିକାରେ ଯୋଡିହୋଇଛି ଭାରତ । ଟ୍ରେନଟି ଜିନ୍ଦରୁ ସୋନିପତ୍ ମଧ୍ୟରେ ୮୯ କିଲୋମିଟର ରୁଟରେ ଚାଲିବ। ଟ୍ରେନରେ ୧୦ଟି ବଗି ଥିବା ବେଳେ ଥରକେ ୬୮୨ ଯାତ୍ରୀ ବସିପାରିବେ । ପ୍ରତିଦିନ ଦୁଇ ରାଉଣ୍ଡ ଟ୍ରିପ୍ କରିବ ଟ୍ରେନ୍ ।
ଏହି ଟ୍ରେନ୍ ଚଳାଇବା ପାଇଁ କୌଣସି ଇଲେକ୍ଟ୍ରିକ୍ ଓଭରହେଡ୍ କିମ୍ବା ଡିଜେଲ ଇଞ୍ଜିନର ଦରକାର ପଡିବନି । ପ୍ରଥମ ଥର ପାଇଁ ଭାରତରେ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ଟ୍ରେନ ପ୍ରଚଳନ କରାଯାଇଛି । ଟ୍ରେନରେ ସଂରକ୍ଷିତ ହାଇଡ୍ରୋଜେନ୍ ଓ ବାୟୁରୁ ନିଆଯାଉଥିବା ଅକ୍ସିଜେନ୍ ଫ୍ୟୁଏଲ୍ ସେଲ୍ ଭିତରେ ପ୍ରତିକ୍ରିୟା କରେ। ଏହା ବିଦ୍ୟୁତ୍ ଉତ୍ପାଦନ କରେ ଯାହା ଟ୍ରେନରେ ଲାଗିଥିବା ମୋଟରକୁ ଚଳାଇଥାଏ । ମୂଳତଃ, ଟ୍ରେନଟିର ଭିତରେ ହିଁ ଏହାର ନିଜର ଇନ୍ଧନ ଉତ୍ସ ରହିଛି, ଯେମିତିକି ପୂର୍ବରୁ ବାଷ୍ପ ଏବଂ ଡିଜେଲ ଟ୍ରେନଗୁଡ଼ିକରେ ଥିଲା। ପେଟ୍ରୋଲ କିମ୍ବା ଡିଜେଲ ଯାନ ପରି, ହାଇଡ୍ରୋଜେନ ଟ୍ରେନଗୁଡ଼ିକ ପ୍ରଦୂଷଣମୁକ୍ତ, କେବଳ ଜଳୀୟବାଷ୍ପ ଏବଂ ତାପ ନିର୍ଗତ କରନ୍ତି। ଏହି ପ୍ରଦୂଷଣମୁକ୍ତ ଟ୍ରେନଗୁଡ଼ିକୁ "ଗ୍ରୀନ ଟ୍ରେନ" ଭାବରେ ମଧ୍ୟ ଜଣାଶୁଣା।
Powered by Froala Editor