ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧
ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧'ର ପୁନର୍ବାର କାଉଣ୍ଟଡାଉନ ପରେ ମହାକାଶକୁ ଉଡ଼ାଣ ଭରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ବହୁ ପ୍ରତିକ୍ଷିତ ରକେଟ୍ର ଉତକ୍ଷେପଣ କରାଯାଇଛି । ଏହି ମିଶନ କେବଳ ସ୍କାଏରୁଟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି, ସ୍କାଏରୁଟର ବିକ୍ରମ-୧ର ଉତକ୍ଷେପଣ କିଛି ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ବିଳମ୍ବ ହୋଇଥିଲା। ଏହି ଉଲ୍ଲେଖନୀୟ ସଫଳତା ସହିତ, ଭାରତ ବିଶ୍ୱର ତୃତୀୟ ଦେଶ ହୋଇଛି ଯେଉଁଠାରେ ଏକ ଘରୋଇ କମ୍ପାନୀ ସ୍ବାଧୀନ ଭାବରେ ଏପରି ସଫଳତା ହାସଲ କରିଛି।
ଏହି ଅତ୍ୟାଧୁନିକ ରକେଟ୍କୁ ହାଇଦ୍ରାବାଦର ପ୍ରସିଦ୍ଧ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ 'ସ୍କାଇରୁଟ୍ ଏରୋସ୍ପେସ୍' ପ୍ରସ୍ତୁତ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରକେଟ୍ ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତାର ପ୍ରମାଣ ଦେଉଛି । 'ସ୍କାଇରୁଟ୍ ଏରୋସ୍ପେସ୍'ର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-୧' ମିଶନ ଆଗମନ ଉତକ୍ଷେପଣ ହେବାର ଥିଲା । ମାତ୍ର ଉଡ଼ାଣର ଠିକ୍ ୫ ମିନିଟ୍ ପୂର୍ବରୁ ଅର୍ଥାତ୍ ୧୧:୨୫ ରେ ଏହାକୁ ମିଶନ କଣ୍ଟ୍ରୋଲ୍ ଟିମ୍ ଦ୍ୱାରା "ପ୍ଲାନଡ୍ ହୋଲ୍ଡ" ରେ ରଖାଯାଇଥିଲା । ରକେଟ୍ଟି ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍ରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା ଏବଂ ଗ୍ରୀନ୍ ସିଗନାଲ୍ ମିଳିବା ମାତ୍ରେ ୧୨.୦୫ରେ ଏହା ଉଡ଼ାଣ ଭରିଥିଲା ।
'ବିକ୍ରମ-୧' ଦେଶର ପ୍ରଥମ ବେସରକାରୀ ରକେଟ୍ ଯାହା ଉପଗ୍ରହଗୁଡ଼ିକୁ କକ୍ଷପଥରେ ସ୍ଥାପିତ କରି ଭାରତୀୟ ସ୍ପେସ୍ ସେକ୍ଟରରେ ଏକ ନୂଆ ଯୁଗର ଆରମ୍ଭ କରିବ । ପାରମ୍ପରିକ ଷ୍ଟିଲ୍ ବଦଳରେ ଏହାକୁ ସମ୍ପୂର୍ଣ୍ଣ ହାଲୁକା ଓ ଶକ୍ତ 'ଅଲ୍-କାର୍ବନ କମ୍ପୋଜିଟ୍'ରେ ତିଆରି କରାଯାଇଛି, ଯାହା ଏହାର କ୍ଷମତା ବଢ଼ାଇଥାଏ । ଏହି ରକେଟ୍ର ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍ରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ 3D-ପ୍ରିଣ୍ଟେଡ୍ ଲିକ୍ୱିଡ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ମିଶନ ସହିତ 'EMBRACE' ଟେକ୍ନୋଲୋଜି ଯାଉଛି, ଯାହା ଭବିଷ୍ୟତରେ ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ପାଇଁ ରୋବୋଟିକ୍ ଆର୍ମର ପରୀକ୍ଷଣ କରିବ । ଏଥିରେ ଡ. ବିକ୍ରମ ସାରାଭାଇ, ସିଭି ରମଣ ଏବଂ ଡ. ଏପିଜେ ଅବଦୁଲ କଲାମଙ୍କର ଚାଉଳ ଦାନାଠୁ ଛୋଟ ସୁନାର ମୂର୍ତ୍ତି, ଏକ ଲ୍ୟାବ୍-ଗ୍ରୋନ୍ ଡାଇମଣ୍ଡ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ବନ୍ଦେ ମାତରମ୍' ଶୁଭେଚ୍ଛା ବାର୍ତ୍ତା ମହାକାଶକୁ ପଠାଯାଉଛି ।
Powered by Froala Editor