ଆଜି ଭକ୍ତଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେଉଛି । ଆଜି ଭକ୍ତଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ପବିତ୍ର ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ଏହା ସହିତ ମହାପ୍ରଭୁ ସ୍ଵତନ୍ତ୍ର ମକର ଚୌରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅ ମୂର୍ତ୍ତୀ ଅଳଙ୍କାରରେ ଭୂଷିତ କରାଯାଏ ।
ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର,ଖୁଆ ଓ ଚାଉଳକୁ ମିଶ୍ରିତ କରାଯାଇ ମକର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରଠାରୁ ମକର ନୀତି ପାଳନ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ଶ୍ରୀଜିଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯାଇଥାଏ ।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବାର ମାସରେ ତେର ପର୍ବ ପାଳନ ହୋଇଥାଏ ବୋଲି ଲୋକକଥାରେ ରହିଛି। ସେଥି ମଧ୍ୟରୁ ମକର ସଂକ୍ରାନ୍ତି ପର୍ବ ଅନ୍ୟତମ। ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି।
Powered by Froala Editor