୨୭ ରେ ସମଲେଇ ପ୍ରକଳ୍ପ ଲୋକାର୍ପଣ: ମହାପ୍ରଭୁଙ୍କୁ ମିଳିଛି ଦେବ ନିମନ୍ତ୍ରଣ
ପୁରୀ: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ଏହି ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ । ଏନେଇ ମହାପ୍ରଭୁଙ୍କୁ ମିଳିଛି ଦେବ ନିମନ୍ତ୍ରଣ । ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଦସ୍ୟ ଓ ପୂଜାରୀମାନେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ପାରମ୍ପରିକ ବିଧି ମୁତାବକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ଶ୍ରୀମନ୍ଦିର କାର୍ୟ୍ୟାଳୟ ନିକଟରେ ନିମନ୍ତ୍ରଣକାରୀ ଦଳ ପହଞ୍ଚିବା ପରେ ସେମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଶ୍ରୀବିଗ୍ରହଙ୍କ ଲାଗି ଖଣ୍ଡୁଆ ପାଟ ଅର୍ପଣ କରିଥିଲେ । ତେବେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସବୁ ଘରକୁ ନଡିଆ ଦିଆଯିବ ଏବଂ ସବୁ ଘରୁ ମାଆଙ୍କ ପାଇଁ ସିନ୍ଦୁର ଆସିବ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଥିଲେ ।
ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ପୂର୍ବରୁ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିସହ ଗତକାଲି ମା' ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ ନିବାସ ଯାଇ ମଙ୍ଗଳାଷ୍ଟକ ଗାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରି ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଥିଲେ ।
Powered by Froala Editor