ଇସ୍ରୋକୁ ବଡ଼ ସଫଳତା : ହେଲୋ କକ୍ଷପଥରେ ପହଞ୍ଚିଲା ଆଦିତ୍ୟ ଏଲ୍-୧

ଇତିହାସ ରଚିଛି ଇସ୍ରୋ। ଭାରତର ଆଦିତ୍ୟ ଉପଗ୍ରହ ଏଲ୍-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଭାରତର ସୂର୍ଯ୍ୟ ମିଶନ ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଏକ୍ସ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି । ଏହି ମହାକାଶଯାନ ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରାଞ୍ଜ ପଏଣ୍ଟ-୧ (ଏଲ୧) ନିକଟରେ ଥିବା ହାଲୋ କକ୍ଷପଥରେ ପହଞ୍ଚିଛି।
ପୃଥିବୀ ଓ ସୂର୍ଯ୍ୟ ଙ୍କ ମଧ୍ୟରେ ଥିବା ସମୁଦାୟ ଦୂରତାର ପ୍ରାୟ ଏକ ପ୍ରତିଶତ ହେଉଛି ଏଲ୍-୧ ବିନ୍ଦୁ। ହାଲୋ କକ୍ଷପଥ, ଏଲ୍ ୧, ଏଲ୍ ୨ ବା ଏଲ୍ ୩ ହେଉଛି ‘ଲାଗ୍ରାଞ୍ଜ ପଏଣ୍ଟ୍’ର ଗୋଟିଏ ନିକଟରେ ଥିବା ଏକ ପରବର୍ତ୍ତୀ, ତ୍ରି-ଆୟାମି କକ୍ଷପଥ।
ଆଦିତ୍ୟର ଯାତ୍ରା ୨ ସେପ୍ଟେମ୍ବର ୨୦୨୩ ରେ ଆରମ୍ଭ ହୋଇଥିଲା। ପାଞ୍ଚ ମାସ ପରେ, ୬ ଜାନୁଆରୀ ୨୦୨୪ ସନ୍ଧ୍ୟାରେ, ଏହି ଉପଗ୍ରହ ଏଲ୍-୧ ପଏଣ୍ଟରେ ପହଞ୍ଚିଛି। ଏହି ବିନ୍ଦୁରେ ଥିବା ସୂର୍ଯ୍ୟର ହାଲୋ କକ୍ଷପଥରେ ନିୟୋଜିତ ହୋଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷକ ଆଦିତ୍ୟ-ଏଲ୧ ଗନ୍ତବ୍ୟସ୍ଥଳରେ ପହଞ୍ଚିଛି।
Powered by Froala Editor