କାଲି ଅପରାହ୍ନ ସୁଦ୍ଧା ଶେଷ ହୋଇଯିବ ପେଟ୍ରୋଲ ଓ ଡିଜେଲ !
ଭୁବନେଶ୍ୱର: ରାଜ୍ୟରେ ଚାଲିଛି ଡ୍ରାଇଭରଙ୍କ ଆନେ୍ଦାଳନ । ଜିଦରେ ଅଟଳ ଡ୍ରାଇଭର ମହାସଂଘ। କେନ୍ଦ୍ର ସରକାର ଡ୍ରାଇଭରଙ୍କ ପାଇଁ କରିଥିବା କଳା ଆଇନ୍କୁ ପ୍ରତ୍ୟାହାର କରନ୍ତୁ । ନ ହେଲେ ଚକା ଜାମ୍ । ଡ୍ରାଇଭର ମହାସଂଘ ଆରମ୍ଭ କରିଥିବା ଷ୍ଟିୟରିଂ ଛାଡ଼ ଅଭିଯାନର ପ୍ରଭାବ ଏବେ ଚାରିଆଡ଼େ ଦେଖିବାକୁ ମିଳିଲାଣି । ଏହାର ପ୍ରଭାବ ଯାତ୍ରୀପରିବହନ କ୍ଷେତ୍ରରେ ପଡ଼ିଥିବାବେଳେ ଆସନ୍ତାକାଲି ସୁଦ୍ଧା ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖାଦେଇପାରେ ବୋଲି ଉକ୍ରଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପାନିକ କ୍ରୟ ଯୋଗୁଁ ଗତକାଲି ଅଧିକ ୨୦ ପ୍ରତିଶତ ପେଟ୍ରୋଲ ବିକ୍ରି ହୋଇଛି । ଡ୍ରାଇଭରଙ୍କ ଆନେ୍ଦାଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି । ପାରାଦୀପ ଡିପୋରୁ ପେଟ୍ରୋଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ଅଛି । ଜଟଣୀ ଓ ବାଲେଶ୍ୱର ଡିପୋରୁ ଅଳ୍ପ ଗାଡ଼ିରେ ତେଲ ଲୋଡିଂ ହୋଇଛି । ଆମକୁ ଯେତିକି ତେଲ ଦରକାର ତାହା ପୂରଣ କରିପାରିବନି । ଏଭଳି ସ୍ଥିତି ରହିଲେ କାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଶେଷ ହୋଇଯିବ । ତେଣୁ ପାନିକ ବାଇଙ୍ଗ ନକରିବାକୁ ଉକ୍ରଳ ପେଟ୍ରୋଲିୟମ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଅପିଲ କରିଛନ୍ତି ।
ଅନ୍ୟପକ୍ଷରେ ଆଜିଠୁ ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ଆହୁରି ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଡ୍ରାଇଭରମାନେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି । ଓଡ଼ିଶାରେ ବି ଏହାର ପ୍ରଭାବ ତୀବ୍ର ହେବାକୁ ଯାଉଛି । ଆଜିଠାରୁ ଏହାକୁ ଜୋରଦାର କରାଯିବ ।
ବସ, ଟ୍ରକ୍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଆନ୍ଦୋଳନରେ ସାମିଲ ହେବେ । ଫଳରେ ସାରା ରାଜ୍ୟରେ ଜନଜୀବନ ଠପ୍ ହୋଇଯିବା ଆଶଙ୍କା ଦେଖା ଦେଲାଣି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ଆଜି ରାତିରୁ ବସ୍ ଚଳାଚଳ କମିଯିବ । ସେହିଭଳି ଟ୍ରକ୍ ଚଳାଚଳ ବନ୍ଦ ହେବାର ଆଶଙ୍କା ରହିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରଭାବିତ ହୋଇପାରେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ କହିଛି । ସେପଟେ ମଣ୍ଡିକୁ ଧାନ ଆସିପାରୁନଥିବାରୁ ଚାଷୀ ଚିନ୍ତାରେ ।
Powered by Froala Editor