ଆବେଦନ ପ୍ରକ୍ରିୟା ଆରମ୍ଭ: କଲେଜ ବଦଳାଇ ପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ
ଭୁବନେଶ୍ୱର : କଲେଜ ବଦଳାଇ ପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ। ଏଥିପାଇଁ ଶୁକ୍ରବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇବାକୁ ପଡ଼ିବ। ପିତାମାତାଙ୍କ ବଦଳି, ଅବସର ଗ୍ରହଣ କିମ୍ବା ମୃତ୍ୟୁ ଘଟିଥିଲେ ପ୍ରମାଣ ଦାଖଲ କରି ଆବେଦନ କରିହେବ। ସେହିପରି ଛାତ୍ରୀଙ୍କ ବାହାଘର କ୍ଷେତ୍ରରେ ଓ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଏନେଇ ଆବେଦନ କରିପାରିବେ। ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମସ୍ ୱେବସାଇଟ୍ www.samsodisha.gov.inରେ ଆବେଦନ କରିପାରିବେ।
ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ଏବଂ ବେସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଗାଇଡ୍ଲାଇନ୍ ଅନୁଯାୟୀ, ଛାତ୍ରଛାତ୍ରୀମାନେ ଯେଉଁ କଲେଜକୁ ବଦଳି କରିବାକୁ ଚାହୁଁଥିବେ, ସେଠାରେ ସିଟ୍ ଖାଲି ଥିବା ଆବଶ୍ୟକ। ଆବେଦନ ପ୍ରକ୍ରିୟା ୧୨ତାରିଖ ଯାଏଁ ଚାଲିବ। ୧୩ ତାରିଖ ସୁଦ୍ଧା ଯେଉଁ କଲେଜ ଛାଡ଼ିବେ, ସେଠାରେ ଯାଞ୍ଚ ହେବ। ୧୭ତାରିଖ ଯାଏଁ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୧୬ରୁ ୨୨ତାରିଖ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସମୀକ୍ଷା କରି ଅନୁମୋଦନ କରାଯିବ। ଯେଉଁ ଛାତ୍ରୀଛାତ୍ରଙ୍କ ଆବେଦନକୁ ଅନୁମତି ମିଳିବ, ସେମାନେ ଜାନୁଆରୀ ୧୭ରୁ ୨୭ ମଧ୍ୟରେ ନାମ ଲେଖାଇ ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରକାଶ କରିଛି।
Powered by Froala Editor