କ୍ୟାବିନେଟ ନିଷ୍ପତ୍ତି : ୧୩ ପ୍ରସ୍ତାବରେ ବାଜିଲା ମୋହର
୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ୧୩ଟି ପ୍ରସ୍ତାବରେ ରହିଛି ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏମଏସଏମଇ ବିଭାଗ ଅଧୀନରେ ଓଡ଼ିଶା ଶିଳ୍ପ ସେବା- ଓଆଇଏସ କ୍ୟାଡରର ବିଭିନ୍ନ ପଦବୀରେ ନିଯୁକ୍ତିର ପଦ୍ଧତି ଏବଂ ସେବା ସର୍ତ୍ତ ନିୟମ ୨୦୨୩କୁ କ୍ୟାବିନେଟ ଅନୁମୋଦନ ମିଳିଛି । ସେହିଭଳି ରାଜ୍ୟର ୧୧୦ ପୌର ସଂସ୍ଥାରେ ଏଲଇଡି ପାଇଁ ୩୧୨.୧୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ମିଳିଛି । ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବୈଷୟିକ ଏବଂ ଅଣ ବୈଷୟିକ ସେବା ସଂଶୋଧନ ନିୟମାବଳୀ ୨୦୨୩ ଉପରେ କ୍ୟାବନେଟ ମୋହର ବାଜିଛି ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ପାଇଁ ବୟସ ସୀମା ୩୨ ବର୍ଷ ଥିଲା। ଏବେ ଏହାକୁ ୬ ବର୍ଷ ବୃଦ୍ଧି କରାଯାଇଛି। ଅର୍ଥାତ ପ୍ରାର୍ଥୀମାନେ ଆଗାମୀ ଦିନରେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ ସଭିଲ ସର୍ଭିସ ଦେଇପାରିବେ।
ରାଜ୍ୟ ସରକାର ନଗର ଉନ୍ନୟନ ବିଭାଗରେ ୩୬୫ଟି ଜୁନିଅର ଇଞ୍ଜିନିୟର ପଦବି ସୃଷ୍ଟି କରିଛନ୍ତି। ପବ୍ଲିକ ହେଲ୍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆକୁ ୫ ଏକର ଜମି ଅନୁମୋଦନ ଦେଇଛନ୍ତି। ସେହିପରି ୨ଶହ ଇଲେକ୍ଟ୍ରି ବସ୍ ଚଳାଇବାକୁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବସ୍ଗୁଡ଼ିକ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ସେବା ଯୋଗାଇବ। ସହରାଂଚଳରେ ଏଲଇଡି ଲାଇଟ୍ ପାଇଁ ୧୧୨ କୋଟି ୧୮ ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
Powered by Froala Editor