ସୁନୀଲ ବଂଶଲଙ୍କ ଅବସର ପରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ
ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୋଲିସ ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ସେ ରବିବାର ଅବସର ନେଉଥିବା ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଶନିବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ ପରବର୍ତ୍ତୀ ଡିଜି ନିଯୁକ୍ତି ଯାଏଁ ଏହି ଦାୟିତ୍ବ ତୁଲାଇବେ। ଶ୍ରୀ ଷଡ଼ଙ୍ଗୀ ବର୍ତ୍ତମାନ ସ୍ବତନ୍ତ୍ର ପୁଲିସ୍ ଡିଜି ପାହ୍ୟାରେ ଅବସ୍ଥାପିତ ହୋଇଥିବା ବେଳେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶକ ସହ ସେ ପୁଲିସ୍ ବିଭାଗର ମୁଖ୍ୟ ଭାବେ କାମ କରିବେ।
ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ ଅନୁଗୁଳ ଜିଲ୍ଲା ତାଳଚେର ଏସ୍ଡିପିଓ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର, ଭୁବନେଶ୍ବର, ରାଉରକେଲାରେ ଏସ୍ପି ଭାବେ କାର୍ଯ୍ୟ କରିଥିଲେ । ପରେ କ୍ରାଇମ୍ବ୍ରାଞ୍ଚର ସିଆଇଡି ପ୍ରଭାଗର ଏସପି ଭାବେ ମଧ୍ୟ ଅବସ୍ଥାପିତ ହୋଇଥିଲେ । ପଦୋନ୍ନତି ପାଇ ଡିଆଇଜି ହେବା ପରେ ନର୍ଦ୍ଦର୍ଣ୍ଣ-ସେଣ୍ଟ୍ରାଲ ରେଞ୍ଜ, ତାଳଚେର ଓ ଭୁବନେଶ୍ବରରେ କାମ କରିଥିଲେ।
ସେହିପରି ରାଜ୍ୟରେ ପରବର୍ତ୍ତୀ ପୋଲିସ ମହାନିର୍ଦେଶକ କିଏ ହେବେ, ସେନେଇ ରାଜ୍ୟ ସରକାର ମୋଟ ୭ ଜଣ ଆଇପିଏସ୍ ଅଧିକାରୀଙ୍କ ତାଲିକା ୟୁପିଏସସିକୁ ସୁପାରିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ ଏମ୍.ପ୍ରସାଦ, ବି ରାଧିକା, ଏସ ଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ଭଳି ଆଇପିଏସ୍ ଅଧିକାରୀ ରହିଛନ୍ତି।
Powered by Froala Editor