୨୭ବର୍ଷ ବୟସରେ ପଦାର୍ପଣ କଲା ବିଜୁ ଜନତା ଦଳ
ଭୁବନେଶ୍ବର: ୨୬ ଡିସେମ୍ବର ୨୦୨୩ରେ ୨୬ବର୍ଷ ପୂରଣ କରି ୨୭ବର୍ଷ ବୟସରେ ପାଦ ଥାପିଛି ବିଜୁ ଜନତା ଦଳ(ବିଜେଡି)। ୧୯୯୭ ଡିସେମ୍ବର ୨୬ରେ ଜନ୍ମଲାଭ କରିଥିବା ଏହି ନୂଆ ଆଞ୍ଚଳିକ ଦଳ ତାହାର ଯାତ୍ରାପଥରେ ଅନେକ ବାଧାବିଘ୍ନ ଅତିକ୍ରମ କରି ଓଡ଼ିଶାବାସୀଙ୍କ ମନ ଜିଣିବା ସହ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଢେର୍ ପ୍ରଶଂସା ସାଉଁଟିଛି। ୧୯୯୭ରୁ ନିର୍ବାଚନୀ ରାଜନୀତିରେ ପାଦ ଥାପିଥିବା ନବୀନ ପଟ୍ଟନାୟକ ଏଯାବତ୍ ଅପରାଜେୟ ହୋଇ ରହିଛନ୍ତି। ଇତିମଧ୍ୟରେ ତାଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ୫ଥର ସରକାର ଗଢ଼ିବା ପରେ ଏବେ ୨୦୨୪ରେ ପୁଣି ଷଷ୍ଠ ପାଳି ଆଡ଼କୁ ଯାଉଛି।୧୯୪୬ରୁ ୧୯୯୭ ପର୍ୟ୍ୟନ୍ତ ୫୧ବର୍ଷ ଧରି ବିଜୁ ପଟ୍ଟନାୟକ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ଶାସନ କ୍ଷମତାରେ ଥାଆନ୍ତୁ କି ନଥା’ନ୍ତୁ ବିଜୁ ବାବୁଙ୍କର କିନ୍ତୁ ଲୋକଙ୍କ ନିକଟରେ ଢେର୍ ଗ୍ରହଣୀୟତା ଥିଲା। ସତେଯେମିତି ସେ ଜୟ ପରାଜୟରୁ ଉଦ୍ଧ୍ୱର୍ରେ ଥିଲେ। କ୍ରମାଗତ ପ୍ରାକୃତିକ ଦୁର୍ବିପାକ ସହ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସିଛି ଓଡ଼ିଶା। କେନ୍ଦ୍ରୀୟ ଦଳଗୁଡ଼ିକର ଓଡ଼ିଶା ପ୍ରତି ହେୟ ମନୋଭାବ ବିଜୁବାବୁଙ୍କୁ ବ୍ୟଥିତ କରୁଥିଲା।୧୯୯୫ ପରେ ଓଡ଼ିଶାର ସ୍ୱାଭିମାନ ଓ ସ୍ୱାର୍ଥ ରକ୍ଷା ପାଇଁ ପୁଣି ଏକ ଆଞ୍ଚଳିକ ଦଳ ପ୍ରତିଷ୍ଠା ପରିକଳ୍ପନାରେ ଥିଲେ ବିଜୁବାବୁ। ତେବେ ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ବିୟୋଗ ଘଟିବାରୁ ଅନେକ ସ୍ୱପ୍ନ ଭଳି ଏହା ବି ଅଧୁରା ରହିଗଲା। ଏ ପରିପ୍ରେକ୍ଷୀରେ ଦଳମତ ନିର୍ବିଶେଷରେ ବିଜୁବାବୁଙ୍କୁ ଭଲ ପାଉଥିବା କୋଟି କୋଟି ଓଡ଼ିଆଙ୍କ ଆଗ୍ରହକ୍ରମେ ତାଙ୍କ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରି ଉପନିର୍ବାଚନ ଲଢ଼ି ଆସିକାରୁ ଲୋକସଭାକୁ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ। ତେବେ ଓଡ଼ିଶାବାସୀଙ୍କ ଆଗ୍ରହ ପ୍ରତି ସମ୍ମାନ ଜଣାଇ ନବୀନ ବାବୁ ସେହିବର୍ଷ ବିଜୁ ବାବୁଙ୍କ ନାମରେ ଆଞ୍ଚଳିକ ଦଳ ‘ବିଜେଡି’ ଗଠନ ପାଇଁ ମନ ବଳାଇଲେ। ଏହି ପରିକଳ୍ପନା ସଫଳ ହେଲା ୧୯୯୭ ଡିସେମ୍ବର ୨୬ ତାରିଖରେ। ଏହାପରେ ନବୀନ ବାବୁଙ୍କ ନେତୃତ୍ୱରେ ଗଠିତ ମେଣ୍ଟ ଓଡ଼ିଶାରେ ଲୋକସଭା ନିର୍ବାଚନରେ ଆଶାତୀତ ସଫଳତା ଲାଭ କଲା ଏବଂ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଯୋଗଦେଇ ଅଭୂତପୂର୍ବ ସଫଳତା ହାସଲ କଲେ। ପରବର୍ତ୍ତୀ ସମୟରେ ତାଙ୍କ ନେତୃତ୍ୱରେ ୨୦୦୦ ମସିହାରେ ଓଡ଼ିଶାରେ ମେଣ୍ଟ ସରକାର ଗଠିତ ହେଲା। ୨୦୦୪ରେ ବି ମେଣ୍ଟ ସରକାରର ନେତୃତ୍ୱ ନବୀନ ବାବୁ ନେଲେ। ତେବେ ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ବିଦ୍ୱେଷ କାରଣରୁ ମେଣ୍ଟ ଛାଡ଼ି ଚାଲିଗଲା ବିଜେପି ଏବଂ ୨୦୦୯ର ଲୋକସଭା ଓ ବିଧାନସଭା ନିର୍ବାଚନରେ ଲୋକେ ବିଜେଡିକୁ ବିପୁଳ ସମର୍ଥନ ଦେବା ସହ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କଲେ। ଏକାକୀ ନିର୍ବାଚନ ଲଢ଼ି ବିଜେଡି ପୁଣି ୨୦୧୪ ଓ ୨୦୧୯ରେ ଅଭୂତପୂର୍ବ ସଫଳତା ହାସଲ କଲା।
ରାଜନୀତି କ୍ଷେତ୍ରରେ ସେତେବେଳେ ସମ୍ପୂର୍ଣ୍ଣ ନବାଗତ ଥିବା ନବୀନ ପଟ୍ଟନାୟକଙ୍କୁ ବିଜେଡି ଗଠନ ସମୟରେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ସେ କିପରି ଏହି ଆଞ୍ଚଳିକ ଦଳର ନେତୃତ୍ୱ ନେବେ ଓ ଏଥିରେ କେତେଦୂର ସଫଳ ହେବେ ବୋଲି। ‘କଥା କମ୍, କାମ ବେଶୀ’ରେ ବିଶ୍ୱାସ କରୁଥିବା ନବୀନ ବାବୁ ୨୬ବର୍ଷ ତଳେ ସେଦିନ ତାଙ୍କ ସଂକ୍ଷିପ୍ତ ଉତ୍ତରରେ କହିଥିଲେ, ‘ରାଜନୀତି କରିବାକୁ ମୁଁ ଆସିନାହିଁ, ଓଡ଼ିଶା ଲୋକଙ୍କ ସେବା କରିବାକୁ ଆସିଛି।’ ଏହି ଭାବଗର୍ଭକ ଓ ସଂକ୍ଷିପ୍ତ ବକ୍ତବ୍ୟ ସେ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବିଶ୍ୱାସଘାତକତାକୁ ସେ ତାଙ୍କ ସରଳତା, ନିର୍ଭୀକତା ଓ ଦୃଢ଼ତା ବଳରେ ଅତିକ୍ରମ କରି ରାଜନୈତିକ କ୍ଷେତ୍ରରେ ନୂଆ ମାଇଲ୍ଖୁଣ୍ଟ ସୃଷ୍ଟି କରିଛନ୍ତି। ଅନ୍ୟ ରାଜନୈତିକ ଦଳମାନେ ନିର୍ବାଚନ ପୂର୍ବରୁ ବିବୃତିବାଜି କରି ସରଗରମ୍ ପରିସ୍ଥିତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ନବୀନବାବୁ କିନ୍ତୁ ତାଙ୍କ ସରକାର ଓ ଦଳକୁ ବର୍ଷର ୧୨ମାସ, ସପ୍ତାହର ୭ଦିନ ଓ ପ୍ରତିଦିନର ୨୪ଘଣ୍ଟା ତଳୁ ଉପର ପର୍ୟ୍ୟନ୍ତ ସକ୍ରିୟ କରି ରଖି ସାଧାରଣ ଜନତାଙ୍କ ଦ୍ୱାରା ଏପରି ଆଦୃତ ହୋଇଛନ୍ତି ଯେ ଓଡ଼ିଶାରେ ତାଙ୍କ ବିକଳ୍ପ ନାହିଁ ବୋଲି ବିରୋଧୀମାନେ ବି ସ୍ୱୀକାର କରିବାକୁ ବାଧ୍ୟ ହେଉଛନ୍ତି। ଉଭୟ ସରକାର ଓ ସଙ୍ଗଠନ ନବୀନ ବାବୁଙ୍କ ପାଇଁ ସମାନ ଗୁରୁତ୍ୱ ବହନ କରିଥାଏ।
ପ୍ରାକୃତିକ ଦୁର୍ବିପାକ ପରିଚାଳନାଠାରୁ ଆରମ୍ଭ କରି କୋଭିଡ୍ ମହାମାରୀର ସଫଳ ମୁକାବିଲା କ୍ଷେତ୍ରରେ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବୀମାଠାରୁ ମହିଳା ସଶକ୍ତୀକରଣ ପର୍ୟ୍ୟନ୍ତ୨୪ବର୍ଷର ଶାସନକାଳ ମଧ୍ୟରେ ବିଜେଡି ବିକାଶର ଯେଉଁ ନୂଆ ଛବି ଆଙ୍କିଛି ତାହା ଅନେକ ରାଜ୍ୟ ପାଇଁ ରୋଲ୍ ମଡେଲ୍ ହୋଇଛି। ଓଡ଼ିଶା ଏବେ ଧାନ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହେବା ସଙ୍ଗେ ସଙ୍ଗେ ଦେଶ ଓ ବିଶ୍ୱକୁ ‘ମିଲେଟ୍ ମିଶନ’ର ବାର୍ତ୍ତା ଦେଇଛି। ୨୬ବର୍ଷ ଅତିକ୍ରମ କରିଥିବା ବିଜେଡି ଏବେ ଜାତୀୟ ରାଜନୀତିରେ ଏକ ଦ୍ରୁମ ଭାବେ ଉଭା ହୋଇଛି।
Powered by Froala Editor