ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ବିଜେଡିକୁ ଟାର୍ଗେଟ କଲେ ଶରତ ପଟ୍ଟନାୟକ
ଭୁବନେଶ୍ୱର: ପଦ୍ମପୁରକୁ ଜିଲ୍ଲା ଘୋଷଣା ନେଇ ବିଜେଡିକୁ ପିସିସି ସଭାପତି ଶରତ ପଟ୍ଟନାୟକ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର କେବଳ ଭୋଟ ପାଇଁ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଉପନିର୍ବାଚନବେଳେ ପ୍ରତିଶ୍ରୁତି ଦେଇ ସରକାର ନିୟମ ଉଲ୍ଲଂଘନ କରିଥିଲେ । ଏବେ ହାଇକୋର୍ଟଙ୍କ ବିନା ଅନୁମତିରେ ଜିଲ୍ଲା ଘୋଷଣା ଯୋଜନା କରୁଥିଲେ । ତେବେ ଏଥିରେ ଅଙ୍କୁଶ ଲାଗିବା ପରେ ଶାସକ ଦଳର ଉଦେ୍ଧଶ୍ୟ କ’ଣ ତାହା ଲୋକେ ଜାଣିସାରିଲେଣି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ।
ଅର୍ଥନୈତିକ ସ୍ଥିତି,ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି।
ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ହାଇକୋର୍ଟଙ୍କ ଏହି ଅନ୍ତରୀଣ ନିର୍ଦ୍ଦେଶ ପରେ ପଦ୍ମପୁରକୁ ନୂଆ ଜିଲ୍ଲା ଗଠନ ନେଇ ଝଟକା ଲାଗିଛି। ଶୀତ ଅବକାଶର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Powered by Froala Editor