ପାନ୍ ମସଲା ବିଜ୍ଞାପନ ମାମଲା : ଶାହରୁଖ, ଅକ୍ଷୟ ଓ ଅଜୟଙ୍କୁ ନୋଟିସ୍

ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ତମାଖୁ କଂପାନୀଗୁଡ଼ିକର ବିଜ୍ଞାପନ କରୁଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA) ନୋଟିସ୍ ପଠାଇଛନ୍ତି।
ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି। ଗୁଟ୍ଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଥିବା ଲକ୍ଷ୍ନୌ ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି, ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି। ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି।
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସେଲେବ୍ରିଟିମାନେ ତମାଖୁ କମ୍ପାନୀଗୁଡ଼ିଗର ବିଜ୍ଞାପନ କରିବା ଉପରେ ଚିନ୍ତା ପ୍ରକଟ କରି ଆଡଭୋକେଟ ମୋତିଲାଲ ଯାଦବ ଏକ ଆବେଦନ କରିଥିଲେ। ଏହି ସେଲେବ୍ରିଟିମାନେ ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରୁଥିବା ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ସେ ଆହୁରି ଦର୍ଶାଇଥିଲେ ଯେ ପଦ୍ମଶ୍ରୀ ପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ଆଚରଣ ସଠିକ୍ ନରହିଲେ ସେମାନଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରି ନେବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ଉଚିତ। ସେମାନଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହିତ ଅମିତାଭ ବଚ୍ଚନ ବି ଥିଲେ।
Powered by Froala Editor