ବିଜେପିକୁ ଭୋଟ୍ ଦେଲେ ବୋଲି ମହିଳାଙ୍କୁ ପିଟିଲେ ସ୍ୱାମୀ, ଭିଣୋଇ

ମଧ୍ୟପ୍ରଦେଶର ଶେହୋରେ ଜିଲ୍ଲାରେ ଜଣେ ମୁସଲିମ ମହିଳାଙ୍କୁ ତାଙ୍କ ଭିଣୋଇ ଓ ସ୍ୱାମୀ ପ୍ରବଳ ମାଡ଼ ମାରିଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ବେଳେ ମହିଳା ଜଣଙ୍କ ବିଜେପିକୁ ଭୋଟ ଦେଇଥିଲେ। ଏହି କାରଣ ପାଇଁ ତାଙ୍କୁ ମାଡ଼ ମରାଯାଇଛି।
ସୂଚନା ଅନୁଯାୟୀ, ସମିନା ବିଙ୍କ ଅଭିଯୋଗ ଅନୁଯାୟୀ, ୨୦୨୩ ଡିସେମ୍ବର ୪ ତାରିଖରେ ସିହୋରର ଅହମ୍ମଦପୁର ଅଞ୍ଚଳରେ ସେ ରାଜ୍ୟରେ ବିଜେପିର ବିପୁଳ ବିଜୟରେ ଉଲ୍ଲସିତ ହୋଇ ଉତ୍ସବ ପାଳନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ସମିନାଙ୍କ ଭିଣୋଇ ଜାଭେଦ ତାଙ୍କୁ ବାଡ଼ିରେ ମାଡ଼ ମାରିବା ଆରମ୍ଭ କରିଥିଲେ, ଯେଉଁଥିପାଇଁ ତାଙ୍କ ହାତ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଥିଲା। ବିଜେପିକୁ ସମର୍ଥନ ଜାରି ରଖିଲେ ସମିନା ଭୟାବହ ପରିଣାମ ଭୋଗିବେ ବୋଲି ମଧ୍ୟ ସେ ଧମକ ଦେଇଥିଲେ।
ସମିନା କହିଛନ୍ତି, “ମୋ ପରିବାର ଓ ମୁଁ ବିଜେପିର ବିଜୟ ପାଇଁ ବେଶ ଉତ୍ସାହିତ ଥିଲୁ। କିନ୍ତୁ ମୁଁ କଂଗ୍ରେସ ବଦଳରେ ବିଜେପିକୁ ଭୋଟ ଦେଇଥିବାରୁ ମୋ ଭିଣୋଇ ଜାଭେଦ ପୂରା ରାଗି ଯାଇଥିଲେ। ସେ ମୋତେ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ମୋ ସ୍ୱାମୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।
ଜାଭେଦ କଂଗ୍ରେସର ଜଣେ ଦୃଢ଼ ସମର୍ଥକ। ସେ ସବୁବେଳେ ବିଜେପିକୁ ବିରୋଧ କରନ୍ତି। ପ୍ରଥମେ ସେ ମୋତେ ଅଭଦ୍ର ଟିପ୍ପଣୀ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ମୋତେ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମୋ ସ୍ୱାମୀ ଏହାକୁ ଆଦୌ ଅଟକାଇ ନଥିଲେ।”
ଏ ଘଟଣା ସଂପର୍କରେ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ଦଫା ୨୯୪ (ସର୍ବସାଧାରଣରେ ଅଶ୍ଳୀଳ ଶବ୍ଦ ବ୍ୟବହାର ସମ୍ବନ୍ଧୀୟ), ଧାରା ୩୨୩, (କୌଣସି ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବେ ଆଘାତ ଦେବା ସମ୍ବନ୍ଧୀୟ), ଧାରା ୫୦୬ (ଅପରାଧିକ ଧମକ ଦେବା ସମ୍ବନ୍ଧୀୟ) ଏବଂ ଧାରା ୩୪ (ସାଧାରଣ ଉଦ୍ଦେଶ୍ୟ ପୂରଣ ପାଇଁ ଅନେକ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଅପରାଧିକ କାର୍ଯ୍ୟ ସମ୍ବନ୍ଧୀୟ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।
Powered by Froala Editor