ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ୨ଜଣ ଯୁବତୀ ଗତ ଏକ ବର୍ଷ ହେବ ସେମାନଙ୍କ ମାଆର ଶବକୁ ଘରେ ରଖିଥିବା କଥା ବୁଧବାର ଦିନ ପୁଲିସ କହିଛି। ବହୁ ଥର ଚେଷ୍ଟା କରିବା ସତ୍ତ୍ବେ କେହି କବାଟ ଖୋଲୁ ନାହାନ୍ତି ବୋଲି ସେମାନଙ୍କର ଜଣେ ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ବୁଧବାର ଦିନ ଲଙ୍କା ଥାନା ପୁଲିସ ଟିମ୍ ମାଦେର୍ୱା ଚିତ୍ତୁପୁର ଅନ୍ତର୍ଗତ ସେମାନଙ୍କ ଘରର କବାଟ ଭାଙ୍ଗି ଭିତରେ ପଶିଲେ। ଘରର ଗୋଟିଏ କୋଠରିରେ ସେମାନେ ଉଷା ତିୱାରି ନାମକ ଉକ୍ତ ୫୨ ବର୍ଷୀୟ ମହିଳାଙ୍କ ଶବ ଦେଖିଲେ। ଅନ୍ୟ ଗୋଟାଏ କୋଠରିରେ ବସିଥିଲେ ମୃତା ମହିଳାଙ୍କ ଦୁଇ ଝିଅ, ୨୭ ବର୍ଷୀୟ ଝିଅ ପଲ୍ଲବୀ ଓ ୧୮ ବର୍ଷୀୟ ବୈଶ୍ବିକୀ। ପଲ୍ଲବୀ ସ୍ନାତକତ୍ତୋର ପଢ଼ିଥିବା ବେଳେ ବୈଶ୍ବିକୀ ୧୦ମ ଶ୍ରେଣୀରେ ପଢୁଛନ୍ତି। ଘରେ ଥିବା ସେମାନଙ୍କ ମାଆଙ୍କ ଶବ କଙ୍କାଳ ହୋଇଯାଇଥିଲା।
ପୁଲିସ ସମସ୍ତ ଘଟଣାର ଭିଡିଓଗ୍ରାଫି ବି କରିଛି। ଦୁଇ ଭଉଣୀ ପୁଲିସକୁ କହିଲେ ଯେ, ଅସୁସ୍ଥତା ଯୋଗୁଁ ଗତ ବର୍ଷ ଡିସେମ୍ବର ମାସରେ ସେମାନଙ୍କ ମାଆ ମରିଗଲେ। କିନ୍ତୁ, ଅନ୍ତିମ ସଂସ୍କାର ଲାଗି ଟଙ୍କା ନ ଥିବାରୁ ସେମାନେ ଶବକୁ ଘରେ ରଖିଛନ୍ତି। ପୁଲିସ କହିଛି, ଦୁଇ ଭଉଣୀଙ୍କର ମସ୍ତିଷ୍କ ବିକୃତି ଥିବା ପରି ମନେ ହେଉଛି। ବାଲ୍ଲିଆରେ ରହୁଥିବା ସେମାନଙ୍କ ବାପା ଗତ ୨ ବର୍ଷ ହେବ ଘରକୁ ଆସି ନ ଥିବା କଥା ଦୁହେଁ ପୁଲିସକୁ କହିଛନ୍ତି। ଅଧିକ ତଦନ୍ତ ନିମନ୍ତେ ଉଷାଙ୍କ କଙ୍କାଳକୁ ପରୀକ୍ଷା ନିମନ୍ତେ ପଠାଯାଇଛି। ଏହା ଅପରାଧିକ ଘଟଣା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଦୁର୍ଗନ୍ଧରେ ସେମାନେ କେମିତି ଘରେ ରହୁଥିଲେ ବୋଲି ପଚାରିବାରୁ ଦୁଇ ଭଉଣୀ କହିଲେ ଯେ, ମାଆଙ୍କ ଶବକୁ ଘୋଡ଼ାଇ ଦେଇ ସେମାନେ ବାଲ୍କୋନିକୁ ଚାଲିଯାଉଥିଲେ। ବେଳେ ବେଳେ ସେମାନେ ଘରୁ ବାହାରକୁ ପଳାଇ ଯାଉଥିଲେ।
Powered by Froala Editor