ବୃଦ୍ଧ ଦମ୍ପତିଙ୍କୁ ପୋଡ଼ି ମାରିବା ମାମଲା: ୧୭ ଜଣଙ୍କୁ ଆଜୀବନ ଜେଲ୍
ଯାଜପୁର: ବୃଦ୍ଧ ଦମ୍ପତିଙ୍କୁ ପୋଡ଼ି ମାରିବା ମାମଲାରେ ୧୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ। ସେମାନଙ୍କୁ ଆଜୀବନ ଜେଲ୍ ଓ ଜରିମାନା କରିଛନ୍ତି କୋର୍ଟ। ୨୦୨୦ ମସିହା ଜୁଲାଇ ୨୦ ତାରିଖ ବିଳମ୍ୱିତ ରାତିରେ ଘଟିଥିଲା ଏହି ଲୋମ ଟାଙ୍କୁରା ଘଟଣା।
କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହିର ଶୈଳ ବାଲମୁଜ ଓ ସମ୍ବାରି ବାଲମୁଜ ନିଜ ଘରେ ଶୋଇଥିଲେ। ବିଳମ୍ୱିତ ରାତି ତାଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। ଯାହାଫଳରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଦମ୍ପତି। ଗୁଣି ଗାରେଡିକୁ ସନ୍ଦେହ କରି ଗାଁର କିଛି ଲୋକ ବୃଦ୍ଧ ଦମ୍ପତିକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା।
କଳିଙ୍ଗନଗର ଥାନା ପୁଲିସ୍ ମାମଲା ରୁଜୁ କରି ୧୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ ୩ ବର୍ଷ ପରେ ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ୨୦ ଜଣ ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ୟ୍ୟ ୧୭ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।
Powered by Froala Editor