ଫ୍ୟାନ୍କୁ ଚାପୁଡ଼ା ମାରି କ୍ଷମା ମାଗିଲେ ନାନା, କହିଲେ ଏମିତି ଭୁଲ୍ କେବେ ହେବନି
ଫ୍ୟାନ୍ଙ୍କୁ ଚାପୁଡ଼ା ମାରିବା ପରେ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ୍ ହେଲେ ବଲିଉଡର ଜଣାଶୁଣା ଅଭିନେତା ନାନା ପାଟେକର। ନିଜ ଅଭିନୟ ପାଇଁ ପ୍ରଶଂସା ସାଉଣ୍ଟୁଥିବା ଏହି ଅଭିନେତା କାର୍ଯ୍ୟକଳାପ ପାଇଁ ଘୋର ନିନ୍ଦିତ ହୋଇଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ପରେ ଆଜାଦ ଅଧିକାର ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତାଭ ଠାକୁର ନାନା ପାଟେକରଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିବାକୁ ଦାବି କରିଛନ୍ତି। ଏହାରି ଭିତରେ ନାନା ପାଟେକର ଭିଡିଓ ଜାରି କରି କ୍ଷମା ମାଗିଛନ୍ତି। ଆଉ ଭବିଷ୍ୟତରେ ଏପରି ଭୁଲ୍ ହେବନି ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି।
ନାନା ପାଟେକର ନିଜ ସଫେଇରେ କହିଛନ୍ତି, ମୁଁ ଜଣେ ଯୁବକଙ୍କୁ ମାରୁଥିବାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ମୁଁ କିନ୍ତୁ ଜାଣିଶୁଣି ଏହା କରିନି। ଆମ ଫିଲ୍ମର ସିନ୍ ଅନୁଯାୟୀ, ସିନ୍ ଆରମ୍ଭ ହୋଇଥିଲା। ତାଙ୍କୁ ଏକ ସିନ୍ ସୁଟ୍ କରିବାର ଥିଲା, ଯେଉଁଥିରେ ପଛପଟୁ ଜଣେ ବାଳକ ଆସିବେ ଏବଂ ତାଙ୍କୁ ସେ ଚାପୁଡ଼ା ମାରିବେ। ଥରେ ସେ ରିହର୍ସାଲ କରିଥିଲେ। କିନ୍ତୁ ନିର୍ଦ୍ଦେଶକ ତାଙ୍କୁ ଆଉ ଥରେ ରିହର୍ସାଲ କରିବାକୁ କହିଥିଲେ। ଏହି ସମୟ ମଧ୍ୟରେ ଜଣେ ପ୍ରଶଂସକ ଯେତେବେଳେ ସେଲ୍ଫି ନେବାକୁ ତାଙ୍କ ପାଖକୁ ଆସିଥିଲେ, ସେତେବେଳେ ସେ ଫିଲ୍ମର ସିନ୍ ଭାବି ତାଙ୍କୁ ଚାପୁଡ଼ା ମାରିଥିଲେ।
କିନ୍ତୁ ପରେ ଜାଣିଲି ସେ କ୍ରିଉ ମେମ୍ବର ନୁହନ୍ତି, ସେ ମୋର ଜଣେ ଫ୍ୟାନ୍ ଥିଲେ। ଏହା ଜାଣିବା ପରେ ତୁରନ୍ତ ମୁଁ ଉକ୍ତ ଯୁବକଙ୍କୁ ଖୋଜିଥିଲି କିନ୍ତୁ ଆଉ ପାଇ ନ ଥିଲି। ଉକ୍ତ ଯୁବକଙ୍କ ସାଙ୍ଗ ଏହାର ଭିଡିଓ କରି ଭାଇରାଲ କରିଥିବା ଅନୁମାନ କରୁଛି। ମୁଁ କେବେ କାହାକୁ ସେଲଫି ପାଇଁ ମନା କରେନି। ଏହା ଭୁଲବଶଃତ ହୋଇ ଯାଇଛି। ମୋତେ କ୍ଷମା କରନ୍ତୁ । ଭବିଷ୍ୟତରେ ଏପରି ଭୁଲ୍ କେବେ ହେବନି।
Powered by Froala Editor