ହାତୀ ଲାଙ୍ଗୁଡ ଟାଣିବା ଭିଡିଓ ଭାଇରାଲ, ଯୁବକ ଗିରଫ

ଅନୁଗୁଳ: ହାତୀ ଲାଙ୍ଗୁଡ ଟାଣି ବନ୍ଧାହେଲେ ଯୁବକ । ଅନୁଗୁଳ ଜିଲ୍ଲା ବଅଁରପାଳ ଅଂଚଳର ଘଟଣା । ବନ୍ୟଜନ୍ତୁଙ୍କୁ ଉତେଜିତ କରିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଯୁବକ ଜଣଙ୍କ ହେଲେ କୁଲାଡ ଗାଁର ଜଗବନ୍ଧୁ ସାହୁଙ୍କ ପୁଅ ଦିନେଶ ସାହୁ ।
ସୂଚନା ଅନୁସାରେ ବଅଁରପାଳ ଅଂଚଳରେ ଗତ କିଛିଦିନ ହେବ ଜଙ୍ଗଲୀ ହାତୀଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଜଙ୍ଗଲୀ ହାତୀ ଜନବସତି ଆଡକୁ ଆସି ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହୋଇ ଆସୁଛି । ବନ ବିଭାଗ ବି ହାତୀଙ୍କୁ ଘଉଡିବା ପାଇଁ ବିଭିନ୍ନ ଉଦ୍ୟମ ଆପଣାଇ ବିଫଳ ହୋଇଛି । ଏହି ଭିତରେ ଗତ ୫ତାରିଖ ଅପରାହ୍ଣରେ ତୁଳସୀପାଳ ଗାଁର କିଛି ଯୁବକ ହାତୀଙ୍କ ସହ ଦୁଃସାହସିକ କାର୍ୟ୍ୟ ଦେଖାଇବାକୁ ଚେଷ୍ଟା କରିଥିଲେ । ଗୋଟିଏ ଜଙ୍ଗଲୀ ହାତୀ ନିକଟକୁ ଯାଇ ତାର ଲାଙ୍ଗୁଡ ଟାଣି ହାତୀଙ୍କୁ ଉତ୍ୟକ୍ତ କରିବାକୁ ଉଦ୍ୟମ କରିଥିଲେ ଦିନେଶ ସାହୁ । କେବଳ ସେତିକି ନୁହେଁ ହାତୀକୁ ପଥର ପକାଇ ବାଜା ବଜାଇ ହଇରାଣ କରିଥିଲେ କିଛି ଯୁବକ । ତେବେ ହାତୀ ଲାଙ୍ଗୁଡ ଟାଣିବା ଭିଡିଓ ଭାଇରାଲ ହେବା ପରେ ଏ ଧୃଷ୍ଟତା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେଇଛି ବନବିଭାଗ । ଘଟଣା ପାଇଁ ଦିନେଶଙ୍କୁ ଗିରଫ କରିଛି ।
Powered by Froala Editor