ଘରେ ବାଣ ଭିଡୁଥିଲାବେଳେ ଅଘଟଣ : ବିସ୍ଫୋରଣରେ ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତିସାହିରେ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଦୀପାବଳି ପାଇଁ ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ କୋଦଳା ଓ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବେଗୁନିଆପଡ଼ା ଜଗତିସାହିର ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ତାଙ୍କର ୨ ବନ୍ଧୁଙ୍କ ସହିତ ମିଶି ତାଙ୍କ ଘରର ଉପର ମହଲାରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ବାଣ ବିସ୍ଫୋରଣ ପରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଜିତୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ। ବାଣ ବିସ୍ଫୋରଣ ହେବାରୁ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପି ଯାଇଥିଲା। ଏମିତିକି ଜିତୁଙ୍କ ଘରର ତଳ ମହଲାରେ ଥିବା ପରିବାରର ୩ ଜଣ ସଦସ୍ୟ ଆହତ ହୋଇଛନ୍ତି।
Powered by Froala Editor