୩୧ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ରଘୁବର ଦାସ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଭାବେ ଆସନ୍ତା ୩୧ ତାରିଖରେ ବରିଷ୍ଠ ବିଜେପି ନେତା ରଘୁବର ଦାସ ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ତାଙ୍କୁ ଓଡ଼ିଶାର ୨୬ ତମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।
ରାଜ ଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ଆସନ୍ତା ୨୯ତାରିଖରେ ଭୁବନେଶ୍ୱରରେ ପହଂଚିବାର କାର୍ୟ୍ୟକ୍ରମ ରହିଛି। ଅକ୍ଟୋବର ୧୮ତାରିଖରେ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ସେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନରେ କାର୍ୟ୍ୟ କରିବେ। ଗଣେଶୀଲାଲ ଆସନ୍ତାକାଲି ଶୁକ୍ରବାର ଓଡ଼ିଶା ଛାଡ଼ିବେ । ପ୍ରଫେସର ଗଣେଶୀଲାଲଙ୍କ କାର୍ୟ୍ୟକାଳ ୨୦୨୩ ମେ’ ମାସରୁ ଶେଷ ହୋଇଥିଲେ ମଧ୍ୟ ସେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । ପ୍ରଫେସର ଗଣେଶୀଲାଲ ପ୍ରାୟ ୫ବର୍ଷ ୫ମାସ ଧରି ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ ।
Powered by Froala Editor