ଧୀରେ ଧୀରେ ଖସୁଛି ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ରାତି ତାପମାତ୍ରା ଖସୁଛି । ପାରଦ କ୍ରମଶଃ ତଳମୁହାଁ ହେଉଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୩.୬ଡିଗ୍ରୀ ରହିଛି । ଦାରିଙ୍ଗିବାଡ଼ିରେ ୧୬ଡିଗ୍ରୀ, ଫୁଲବାଣୀରେ ୧୬.୫,ନବରଙ୍ଗପୁରରେ ୧୭.୪,ସୁନ୍ଦରଗଡ଼ରେ ୧୮, ରାଉରକେଲାରେ ୧୮.୨,ଅନୁଗୁଳରେ ୧୮.୬ ଓ ଝାରସୁଗୁଡ଼ାରେ ୧୮.୮ ଡିଗ୍ରୀ ରେକର୍ଡ ହୋଇଛି । ୫ ତାରିଖ ବେଳକୁ ରାତି ତାପମାତ୍ରା ଆହୁରି ଖସିବ ଓ ଶୀତ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି ।
ଡ. ସାହୁ ପୂର୍ବାନୁମାନ କରି କହିଛନ୍ତି, ୧ ଓ ୨ ତାରିଖରେ ରାଜ୍ୟରେ ବର୍ଷା ରହିବ। ବଙ୍ଗୋପସାଗରର ପୂର୍ବ ଭାଗରୁ ପବନ ବହିବ। ଫଳରେ ଜଳୀୟବାଷ୍ପ ରହିବ। ଏହା ହାଲୁକା ବର୍ଷା କରାଇବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ । ୫ ଓ ୬ରୁ ରାଜ୍ୟରେ ଶୀତ ବଢ଼ିବ ବୋଲି ସେ କହିଛନ୍ତି ।
ଗୁରୁବାର ଅନୁଗୁଳ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୪.୧ ଡିଗ୍ରୀ ରହିଛି । ମାଲକାନଗିରିରେ ୩୪, ରାୟଗଡ଼ାରେ ୩୩.୬, ପୁରୀରେ ୩୩.୬, ପାରାଦୀପର ତାପମାତ୍ରା ୩୩.୪ ଡିଗ୍ରୀ ରହିଛି । ରାତି ତାପମାତ୍ରା କମିବା ଯୋଗୁ ଭୋର୍ରେ ହାଲ୍କା ଶୀତ ହେଉଛି ।
Powered by Froala Editor