ଟିକାର ଅଭାବ, ବନ୍ଦ ହେଲାଣି ୭ ଶହ ଟିକାକରଣ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଟିକାର ଅଭାବ ଜଟିଳ ହେବାରେ ଲାଗିଛି । ଆବଶ୍ୟକ ପରିମାଣର ଟିକା ନଥିବାରୁ ରାଜ୍ୟ ସରକାର ପ୍ରାୟ ୭ ଶହ ଟିକାକରଣ କେନ୍ଦ୍ରକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଯାହା ଫଳରେ ଦୈନିକ ଅଢେ଼ଇ ଲକ୍ଷ ଟିକାକରଣ ବଦଳରେ ଏବେ ଦୈନିକ ୧ ଲକ୍ଷରୁ ସାମାନ୍ୟ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କମ ସଂଖ୍ୟାରେ ଟିକାଦାନକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଆବଶ୍ୟକ ପରିମାଣର ଟିକା ଯୋଗାଇ ଦେବା ଲାଗି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଠିକ୍ ସମୟରେ ଟିକା ନ ପହଞ୍ଚିଲେ ଟିକାଦାନ ବ୍ୟାହତ ହେବ ବୋଲି ଉଲ୍ଲେଖ କରିଛନ୍ତି ।