ଦେଶବାସୀଙ୍କୁ ଦରଦାମ୍ରୁ ମିଳିବନି ନିସ୍ତାର

ମୁମ୍ବାଇ : ଦେଶବାସୀଙ୍କୁ ଦରଦାମ୍ରୁ ନିସ୍ତାର ମିଳିବନି। ଦୀର୍ଘଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବା ଆଶଙ୍କା ରହିଛି। ଖରିଫ ଋତୁରେ ଡାଲି, ତୈଳବୀଜ ଚାଷ ହ୍ରାସ ପାଇଥିବା ବେଳେ ଜଳାଶୟଗୁଡ଼ିକରେ ପାଣିର ସ୍ତର କମ୍ ରହିଛି। ଜଳବାୟୁରେ ଏଲ୍-ନିନୋ ପ୍ରଭାବ ଏବଂ ଆନ୍ତର୍ଜାତିକ ବଜାରରେ ଖାଦ୍ୟ ଓ ଶକ୍ତି ଦାମ୍ ମଧ୍ୟ ଅସ୍ଥିର ରହିଛି। ଏହି ସବୁ କାରଣ ପାଇଁ ଦରଦାମ୍କୁ ନେଇ ଅନିଶ୍ଚିତତା ଲାଗି ରହିବ ବୋଲି ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
ଜୁଲାଇ ଓ ଅଗଷ୍ଟରେ ଖାଦ୍ୟ ସାମଗ୍ରୀ ଦାମ୍ରେ ଯେଉଁ ବୃଦ୍ଧି ଘଟିଥିଲା, ସେପ୍ଟେମ୍ବରରେ ସେଥିରେ ସୁଧାର ହୋଇଛି। କିନ୍ତୁ ମୋଟ ଉପରେ ଦେଖିଲେ ଦରଦାମ୍ ସମସ୍ୟା ଏତେ ଶୀଘ୍ର ଦୂର ହେବା ଭଳି ମନେ ହେଉନାହିଁ। ଆସନ୍ତା ବର୍ଷ ସେପ୍ଟେମ୍ବର ବେଳକୁ ସେଥିରେ ସୁଧାର ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪ ପ୍ରତିଶତ ରହିବ ଏବଂ ଆସନ୍ତା ଆର୍ଥିକ ବର୍ଷରେ ତାହା ୫.୨ ପ୍ରତିଶତକୁ ହ୍ରାସ ପାଇବ। ଆମେ ଏହି ହାରକୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି।
ଭାରତ ଏବେ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ ଭାବେ କାମ କରୁଛି। କିନ୍ତୁ ଗତ ଦେଢ଼ ଦଶନ୍ଧି ଭିତରେ ବିଶ୍ବସ୍ତରରେ ଘଟୁଥିବା ଘଟଣା ଦେଶର ଅର୍ଥନୀତିକୁ ଯେଉଁଭଳି ଭାବେ ପ୍ରଭାବିତ କରୁଛି ତାହା ବିଚାରକୁ ନେଲେ ଆମେ ଆଶ୍ବସ୍ତ ହୋଇ ବସିପାରିବାନି। ବିଶ୍ବସ୍ତରରେ ଘୋର ଅନିଶ୍ଚିତତା ରହିଥିବାରୁ ଦରଦାମ୍ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ ବୋଲି ଶକ୍ତିକାନ୍ତ କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ ଦରଦାମ୍ରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା ସେଥିରେ ଜୁଲାଇ ଓ ଅଗଷ୍ଟରେ ବ୍ରେକ୍ ଲାଗିଥିଲା। ନିକଟରେ ପନିପରିବା ଓ ଏଲ୍ପିଜି ଗ୍ୟାସ୍ ଦାମ୍ରେ ହୋଇଥିବା ହ୍ରାସର ପ୍ରଭାବ ନିଶ୍ଚିତ ରୂପେ ଦେଖିବାକୁ ମିଳିବ।
ଆଜି ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ଘର, ଗାଡ଼ି ଓ ବ୍ୟକ୍ତିଗତ ଋଣ ନେଇଥିବା ଲୋକମାନଙ୍କ ଇଏମ୍ଆଇରେ କୌଣସି ବୃଦ୍ଧି ହେବ ନାହିଁ। ରେପୋ ହାର ହେଉଛି ରିଜର୍ଭ ବ୍ୟାଙ୍କଠାରୁ ବ୍ୟାଙ୍କଗୁଡ଼ିକ ଋଣ ଆଣିବା ବେଳେ ଗଣୁଥିବା ସୁଧ। ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ଓ ଅର୍ଥନୈତିକ ଅଭିବୃଦ୍ଧି ଧାରା ବଜାୟ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ କିଛି ଅସ୍ତ୍ର ରହିଛି ସେଥିରୁ ଅନ୍ୟତମ ଶକ୍ତିଶାଳୀ ଅସ୍ତ୍ର ହେଉଛି ରେପୋ ହାର।
ଏଥର ଲାଗାତାର ଚତୁର୍ଥ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର ଅପରିବର୍ତ୍ତିତ ରଖିଛି। ସାଧାରଣତଃ ଦରଦାମ୍ ବେଲଗାମ ଥିବା ବେଳେ ରେପୋ ହାର ବୃଦ୍ଧି କରାଯାଏ ଏବଂ ଅଭିବୃଦ୍ଧିକୁ ସମର୍ଥନ ଦେବା ଲାଗି ଏହି ହାର ହ୍ରାସ କରାଯାଏ। ଯେହେତୁ ରିଜର୍ଭ ବ୍ୟାଙ୍କ ଏହି ଦୁଇ ମଧ୍ୟରୁ କୌଣସି କାମ ନକରି ଦରକୁ ସ୍ଥିର ରଖୁଛି ତାହାର ଅର୍ଥ ହେଉଛି ଯେ ଦରଦାମ୍କୁ ନେଇ ଚିନ୍ତା ଦୂର ହୋଇନାହିଁ। ରେପୋ ହାର ହ୍ରାସ କଲେ ସ୍ଥିତି ପୁଣି ବିଗିଡ଼ିଯିବାର ଆଶଙ୍କା ରହିଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ମୁଦ୍ରାନୀତି କମିଟି ଆକଳନ କରିଛି।
Powered by Froala Editor