ଅକ୍ଟୋବର ୨ରୁ ୧୧ ଯାଏଁ ବିଜେଡି କରିବ ପଦଯାତ୍ରା
ଭୁବନେଶ୍ବର : ପ୍ରତିବର୍ଷ ପରି ସାରା ରାଜ୍ୟରେ ଶାସକ ଦଳ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ବିଜେଡି କର୍ମୀଙ୍କ ପକ୍ଷରୁ ଏହି ପଦଯାତ୍ରା କରାଯିବ । ଶଙ୍ଖ ଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଆସନ୍ତା ଅକ୍ଟୋବର ୨ରୁ ୧୧ଯାଏଁ ବିଜେଡି ପକ୍ଷରୁ ପଦଯାତ୍ରା କରାଯିବ । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ', ଅକ୍ଟୋବର ୯ ତାରିଖରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ' ଏବଂ ଅକ୍ଟୋବର ୧୧ ତାରିଖରେ ' ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ ସହିତ ଏ ବର୍ଷର ‘ ଜନ ସଂପର୍କ ପଦଯାତ୍ରା' ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳନ କରାଯିବ।
ଅକ୍ଟୋବର ୧୨ ଠାରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡ଼ରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ । ଏହା ସହିତ ବିଜୁ ଜନତା ଦଳର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ ବରପୁତ୍ର ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ ।
ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦବିର କରିବେ । ଏହି ସାଙ୍ଗଠନିକ କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ, ବିଧାୟକ, ବିଧାୟିକା, ଦଳୀୟ ସଭାପତି, ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ଓ ଯୁବ, ଛାତ୍ର ଓ ମହିଳା ପ୍ରଭୃତି ବିଭିନ୍ନ ଛାମୁଆ ସଂଗଠନ ଓ କୃଷକ, ଶ୍ରମିକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ସମବାୟ, ଆଇନ, ସଂସ୍କୃତି ପ୍ରଭୃତି ବିଭିନ୍ନ ସାମ୍ମୁଖ୍ୟର କର୍ମକର୍ତ୍ତାମାନେ ଏଥିରେ ସାମିଲ୍ ହେବେ ।
Powered by Froala Editor