ସାମ୍ବାଦିକଙ୍କୁ ଟିକାକରଣ ନେଇ ବିଏମସି ପକ୍ଷରୁ ଦ୍ୱନ୍ଦ୍ୱ ଦୂର
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା କୋଭିଡ ଯୋଦ୍ଧାଙ୍କୁ ଟିକାକରଣ ପାଇଁ ଅଗ୍ରାଧିକାର ଦିଆଯାଉଛି । ଏହି ପରିପ୍ରେକ୍ଷରେ ନିକଟରେ କୋଭିଡ ଯୋଦ୍ଧାଭାବେ ଘୋଷଣା ହୋଇଥିବା ସାମ୍ବାଦିକମାନଙ୍କୁ ବିଏମସି ପକ୍ଷରୁ ସ୍ୱତନ୍ତ୍ରଭାବେ ଟିକାକରଣ କରାଯାଇଥିଲା । ଏବେ ଦ୍ୱିତୀୟ ଡୋଜ ପାଇଁ ସମୟ ହୋଇଯାଇଥିଲେ ମଧ୍ୟ କେବେ ଓ କେଉଁଠି ଟିକା ଦିଆଯିବ ତାକୁ ନେଇ ସାମ୍ବାଦିକମାନେ ଦ୍ୱନ୍ଦ୍ୱରେ ଥିଲେ । ଏପରିକି ଦ୍ୱିତୀୟ ଡୋଜ ପାଇଁ ନିଜ ଆଡ଼ୁ ସ୍ଲଟ ବୁକିଂ କରିବାକୁ ପଡ଼ିବ ନା ପ୍ରଥମ ଡୋଜ ଭଳି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ଟିକାକରଣ କରାଯିବ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।
ତେବେ ସାମ୍ବାଦିକମାନଙ୍କୁ ଟିକାକରଣ ନେଇ ଆଜି ବିଏମସି ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରାଯାଇଛି । ଭୁବନେଶ୍ୱରରେ ସ୍ୱତନ୍ତ୍ର ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ ବୋଲି କୁହାଯାଇଛି । ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକମାନଙ୍କୁ ଟିକାକରଣ କରାଯିବ । ଖୁବ ଶୀଘ୍ର ଟିକାକରଣ କରାଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି ।
Powered by Froala Editor