ଅକ୍ଟୋବର ୪ ରୁ ୭ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା

କଟକ: ଅକ୍ଟୋବର ୪ ରୁ ୭ ତାରିଖ ପର୍ୟ୍ୟନ୍ତ ଦଶମ ଶ୍ରେଣୀ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକ ପରୀକ୍ଷା ହେବ । ଏଥିଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ୟ୍ୟାଳୟ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଦିନ ୧୦ଟାରୁ ୧୨ ଟା ୩୦ ଯାଏ ପ୍ରଥମ ସିଟିଂ ପରୀକ୍ଷା ରହିଥିବା ବେଳେ ଅପରାହ୍ନ ସାଢ଼େ ୧ ଟାରୁ ୪ଟା ଯାଏ ଦ୍ୱିତୀୟ ସିଟିଂ ପରୀକ୍ଷା ହେବା ଲାଗି ସମୟ ନିର୍ଘଣ୍ଟ ଜାରି କରାଯାଇଛି । ପ୍ରଥମ ଦିନ ପରୀକ୍ଷା ପ୍ରଥମ ସିଟିଂରେ ଓଡ଼ିଆ ଭାଷା ଏବଂ ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟ ରହିଛି । ୫ ତାରିଖରେ ଗଣିତ, ୬ରେ ବିଜ୍ଞାନ ପରୀକ୍ଷା ହେବ । ୭ ତାରିଖ ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ ଏବଂ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ/ ସଂସ୍କୃତ ପରୀକ୍ଷା ହେବ ।
ସୂଚନାଯୋଗ୍ୟ, ଚଳିତ ମାସ ୧୩ରୁ ୧୬ ତାରିଖ ପର୍ୟ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଷାଣ୍ମାସିକ ପରୀକ୍ଷା ହେବ ବୋଲି ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା । ମାତ୍ର ଚଳିତ ଶିକ୍ଷାବର୍ଷର ସିଲାବସ୍ ଅନୁସାରେ ଅନେକ ବିଦ୍ୟାଳୟରେ ପାଠପଢ଼ା ଶେଷ ହୋଇ ନଥିବାରୁ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାନସିକ ଚାପରେ ରହିଥିଲେ । ପରୀକ୍ଷା ଘୁଞ୍ଚାଇବାକୁ ଶିକ୍ଷକ ସଂଘ ସମେତ ଅଭିଭାବକଙ୍କ ପକ୍ଷରୁ ଦାବି କରାଯାଇଥିଲା ।
Powered by Froala Editor