ରକ୍ତ ଭଣ୍ଡାରର ୪ କର୍ମଚାରୀ ନିଲମ୍ବିତ

କଟକ : କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରର ୪ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଯେଉଁଦିନ ରକ୍ତ ଥଳିରେ ଭୁଲ୍ ରକ୍ତ ଥିବା ଅଭିଯୋଗ ଆସିଥିଲା ସେହିଦିନ ଏହି କର୍ମଚାରୀମାନେ ଡ୍ୟୁଟିରେ ଥିଲେ। ଏମାନେ ରକ୍ତ ଭଣ୍ଡାରରେ ଟେକ୍ନିସିଆନ ଭାବେ କାର୍ୟ୍ୟ କରନ୍ତି ବୋଲି କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏମାନେ ଜାଣିଶୁଣି ଏଭଳି କାର୍ୟ୍ୟ କରିଥିଲେ କି ଭୁଲବଶତଃ ଏପରି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣାରେ ତଦନ୍ତ ଜାରି ରହିଛି ବୋଲି ନିର୍ଦ୍ଦେଶକ ଡା. ଦାସ କହିଛନ୍ତି।
ମଙ୍ଗଳବାର ଭଗତପୁର ଅଞ୍ଚଳର ବିଭୂତିଭୂଷଣ ଜେନା(୭୪)ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ପରିବାର ଲୋକେ ଝୋଲାସାହି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଇଥିଲେ। ତାଙ୍କ ଶରୀରରେ ହିମୋଗ୍ଲୋବିନର ମାତ୍ରା କମ ରହିଥିବାରୁ ରକ୍ତର ଆବଶ୍ୟକ ଥିବା ଡାକ୍ତର କହିଥିଲେ। ବିଭୂତିଙ୍କ ଶରୀରରେ ଏ-ପଜିଟିଭ ରକ୍ତ ଆବଶ୍ୟକତା ଥିବାରୁ ନର୍ସିଂହୋମରୁ ରିକ୍ୟୁଜିସନ ଧରି କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ ପରିବାର ଲୋକେ। ସେଠାରେ ସମସ୍ତ ଯାଞ୍ଚ ପ୍ରକ୍ରିୟା ପରେ ଏ-ପଜିଟିଭ ଲେଖାଥିବା ଏକ ରକ୍ତ ଥଳିକୁ ପରିବାର ଲୋକଙ୍କୁ ପ୍ରଦାନ କରିଥିଲେ।
ଏହି ରକ୍ତ ଧରି ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ବିଭୂତିଙ୍କୁ ଶରୀରରେ ଏହି ରକ୍ତକୁ ସଂଯୋଗ କରାଯାଇଥିଲା। ରକ୍ତ ଦେବାର କିଛି ସମୟ ମଧ୍ୟରେ ବିଭୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏହା ଦେଖି ନର୍ସିଂହୋମ କର୍ତ୍ତୃପକ୍ଷ ରକ୍ତ ପ୍ରଦାନ ବନ୍ଦ କରି ଦେଇଥିଲେ। ସନ୍ଦେହ ହେବାରୁ ସେହି ରକ୍ତ ୟୁନିଟର ଯାଞ୍ଚ କରାଯାଇଥିଲା। ପରୀକ୍ଷା କରାଯିବାରୁ ଏହା ବି-ପଜିଟିଭ ରକ୍ତ ବୋଲି ଜଣାପଡ଼ିଥିଲା। କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କ ଖାମଖିଆଲ ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ବିଭୂତିଙ୍କ ପରିବାର ଲୋକେ ଅଭିଯୋଗ ଉଠାଇଥିଲେ। ନିରାମୟ ଉପଦେଷ୍ଟା ଡା. ରଞ୍ଜନ ବିଶ୍ୱାଳଙ୍କ ପରାମର୍ଶକ୍ରମେ ରେଡକ୍ରସ ସଚିବ ବିଭୂତି ମହାପାତ୍ର ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ତଦନ୍ତ କରି ପ୍ରାଥମିକ ସ୍ତରରେ ୪ କର୍ମଚାରୀଙ୍କୁ ନିଲମ୍ବନ କରିଛି।
Powered by Froala Editor