ଲଘୁଚାପ: ୧୫ ଯାଏ ବର୍ଷାରୁ ମିଳିବନି ନିସ୍ତାର

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୋମବାର ରାତିରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ । ବର୍ଷା ସହ ଘନ ଘନ ବଜ୍ରପାତ ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପ୍ରଥମ ଲଘୁଚାପ ପରେ ଦ୍ୱିତୀୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ୧୫ ତାରିଖ ଯାଏ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବନି । ପାଣିପାଗ ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେବ । ୭ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୪ ତାରିଖରେ ପୂରା ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୫ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ଅଛି । ୭ରେ ମଧ୍ୟ ପୂରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ।
୪ରେ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୫ରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, ରାୟଗଡ଼ା, ନୂଆପଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ କଳାହାଣ୍ଡିରେ ଭାରୀ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି ।
Powered by Froala Editor