ଭାରତର ପ୍ରଥମ ସୌର ମିଶନ: ଆଦିତ୍ୟ ଏଲ-୧ର ଉତକ୍ଷେପଣ

ନୂଆଦିଲ୍ଲୀ: ଆରମ୍ଭ ହେଲା ଭାରତର ପ୍ରଥମ ସୌର ମିଶନ । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଭାରତ ଇତିହାସ ରଚିଛି । ଦିନ ୧୧ଟା ୫୦ରେ ଆଦିତ୍ୟ ଏଲ-୧ ଉତକ୍ଷେପଣ ହୋଇଛି । ପିଏସଏଲଭି-ସି୫୭ରେ ଆଦିତ୍ୟ ଏଲ-୧ ଉତକ୍ଷେପଣ କରାଯାଇଛି । ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିଛି ସୂର୍ୟ୍ୟ ଅଭିଯାନ । ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ ।
ପୃଥିବୀ ଠାରୁ ସୂର୍ୟ୍ୟର ଦୂରତା ୧୫କୋଟି କିଲୋମିଟର। ମିଶନ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ। ଏହା ଲାଗ୍ରେଞ୍ଜ ପଏଣ୍ଟରେ ରହି ୫ବର୍ଷ ଯାଏଁ ସୂର୍ୟ୍ୟ ବିଷୟରେ ଅଧ୍ୟୟନ କରିବ।ଭାରତର ସୂର୍ୟ୍ୟ ମିଶନ ଆଦିତ୍ୟ ଏଲ୧ ସମୁଦାୟ ୭ଟି ପେଲୋଡ ବହନ କରିବ, ଯାହା ସୂର୍ୟ୍ୟର ଫଟୋଗ୍ରାଫି, କ୍ରୋମୋସଫର ଏବଂ ବାହ୍ୟ ସ୍ତର (କରୋନା) ବିଷୟରେ ଅଧ୍ୟୟନ କରିବ। ଆଦିତ୍ୟକୁ ସୂର୍ୟ୍ୟର ଲାଗ୍ରେଞ୍ଜ ପଏଣ୍ଟ ଚାରିପାଖ ହାଲୋ କକ୍ଷପଥରେ ଅବସ୍ଥାପିତ କରାଯିବ। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ଏପରି ଏକ ସ୍ଥାନ ଯେଉଁଠି ଏକ ଛୋଟ ପିଣ୍ଡ ମଧ୍ୟ ସ୍ଥାଣୁ ଭାବେ ରହିଯାଏ। ଏଠାରେ ଆଦିତ୍ୟ ଏଲ୧କୁ ରଖିବା ଦ୍ୱାରା ଇନ୍ଧନ ମଧ୍ୟ କମ ଖର୍ଚ୍ଚ ହେବ। ଇସ୍ରୋ ଅନୁଯାୟୀ, ଆଦିତ୍ୟ ଏଲ-୧କୁ ଲାଗ୍ରେଞ୍ଜ ପଏଣ୍ଟ କକ୍ଷପଥରେ ରଖିବା ଦ୍ୱାରା ଏଠାରେ କିଛି ବାଧା ଉପୁଜିବି ନାହିଁ। ଏପରିକି ସୂର୍ୟ୍ୟ ଗ୍ରହଣ ହେଲେ ମଧ୍ୟ ଗବେଷଣାରେ ପ୍ରଭାବ ପଡିବ ନାହିଁ।
ମହାକାଶରେ ୫ଟି ଲାଗ୍ରେଞ୍ଜ ପଏଣ୍ଟ ଅଛି ଅର୍ଥାତ୍ ଦୁଇଟି ଗ୍ରହ ବା ପିଣ୍ଡ ମଧ୍ୟରେ ଦୂରତା। ଏଥିମଧ୍ୟରେ ଏଲ୧,୨,୩,୪,୫ ଅନ୍ତର୍ଭୁକ୍ତ। ଲାଗ୍ରେଞ୍ଜ ପଏଣ୍ଟ ଏଲ ୧ ସୂର୍ୟ୍ୟ ଏବଂ ପୃଥିବୀ ରେଖା ମଧ୍ୟରେ ଅବସ୍ଥିତ। ଭାରତର ସୌର ମିଶନ ଏହି ସ୍ଥାନରେ ଅବସ୍ଥାପିତ ହେବ। ଇସ୍ରୋ ଅନୁଯାୟୀ, ପୃଥିବୀ ଓ ସୂର୍ୟ୍ୟ ମଧ୍ୟରେ ଦୂରତା ଯେତିକି ଏଲ୧ ପଏଣ୍ଟ ଠାରୁ ସୂର୍ୟ୍ୟର ଦୂରତା ମାତ୍ର ୧ଶତକଡା ରହିବ। ପୃଥିବୀ ଓ ଏଲ-୧ ମଧ୍ୟରେ ଦୂରତା ୧.୫ ନିୟୁତ କିଲୋମିଟର ହୋଇଥିବାବେଳେ ପୃଥିବୀ ଏବଂ ସୂର୍ୟ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫୦.୯୯ ନିୟୁତ କିଲୋମିଟର। ଏହାର ଅର୍ଥ ସୂର୍ୟ୍ୟଙ୍କ ନିକଟତର ହୋଇଥିଲେ ମଧ୍ୟ ଆଦିତ୍ୟ ଏଲ-୧ ବହୁତ ଦୂରରେ ରହିବ।
Powered by Froala Editor