ସ୍ୱତନ୍ତ୍ର ହେଲା ‘ମିଶନ ଶକ୍ତି’ ବିଭାଗ
ଏଣିକି ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ‘ମିଶନ ଶକ୍ତି’ ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶିତ ହୋଇଛି ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ ‘ମହିଳା ଓ ଶିଶୁ ବିକାଶ’ ବିଭାଗ ଭାବେ ନାମିତ କରାଯାଇଛି । ନୂତନ ଭାବେ ଗଠନ କରାଯାଇଥିବା ମିଶନ ଶକ୍ତି ବିଭାଗ ଲୋକସେବା ଭବନରେ କାର୍ଯ୍ୟ କରିବ ଏବଂ ଏହାର ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି ମିଶନ ଶକ୍ତି ଭବନ, ପୋଖରୀପୁଟ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଓଡ଼ିଶା ଜୀବିକା ମିଶନ କୋଠାରେ କାର୍ଯ୍ୟ କରିବ ।
ମିଶନ ଶକ୍ତି କାର୍ଯ୍ୟକ୍ରମ, ଦୀନ ଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟକ୍ରମ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ଗ୍ରାମୀଣ ଅର୍ଥନୈତିକ ପରିବର୍ତ୍ତନ ପ୍ରକଳ୍ପ ଏବଂ ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ କାର୍ଯ୍ୟକାରୀ ହେଉଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକ୍ରମ ଏହି ବିଭାଗ ଜରିଆରେ କାର୍ଯ୍ୟକାରୀ କରାଯିବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ । ଏହାସହ ସୁଜାତା ଆର. କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି ।
ଏହି ବିଭାଗ ପାଇଁ ଆବଶ୍ୟକ କର୍ମଚାରୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ବିହିତ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ସଂପର୍କିତ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା କର୍ମଚାରୀମାନେ ନୂତନ ବିଭାଗରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବେ ।
୨୦୨୨-୨୩ ବର୍ଷରୁ ଏହି ବିଭାଗ ପାଇଁ ରାଜ୍ୟ ବଜେଟ୍ରେ ସ୍ୱତନ୍ତ୍ର ବ୍ୟୟବରାଦ କରାଯିବ, ଏବଂ ଚଳିତ ବର୍ଷ ପାଇଁ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ମିଶନ ଶକ୍ତି ପାଇଁ ଅନୁମୋଦନ ହୋଇଥିବା ବଜେଟ୍ରୁ ଯୋଜନା ତଥା କର୍ମଚାରୀମାନଙ୍କ ଦରମା ଆଦି ପାଇଁ ଖର୍ଚ୍ଚ କରାଯିବ ।
Powered by Froala Editor