ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲିଠୁ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ରାଜଘାଟ ଓ ଆଖୁଆପଦାଠାରେ ବନ୍ୟା ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଭଣ୍ଡାରିପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସରକାରୀ. ବେସରକାରୀ ସ୍କୁଲ ସମେତ ଅଙ୍ଗନୱାଡି କେନ୍ଦ୍ରକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଆଜି ସକାଳ ୬ଟା ସୁଦ୍ଧା ଭଦ୍ରକ ଆଖୁଆପଦା ଆନିକଟଠାରେ ଵୈତରଣୀ ନଦୀର ଜଳସ୍ତର ୧୯.୮୮ମିଟର ରହିଛି। ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି।
ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ବନ୍ଦୋଳ ମଢିଆଳି ଓ ଝୁଟଣା ଆଦି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଅନ୍ୟ ପଞ୍ଚାୟତକୁ ମଧ୍ୟ ପାଣି ମାଡୁଛି। ଦୋଵଲ, ସୋହଡା, ଖଡିପଦା, ଆନନ୍ଦପୁର, ଖଡିପଦା, କରଦା, ପଧାନୀ, ଅର୍ଜ୍ଜୁନପର ପଞ୍ଚାୟତ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇସାରିଛି। ଗତକାଲି ରାତିରୁ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇଛି ।ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତର ଏକାଧିକ ଗାଁ ଜଳ ମଗ୍ନ ହୋଇଛି।
ସେପଟେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ।
Powered by Froala Editor