କହି କହି ଶୁଣିଲେନି ଅଧିକାରୀ, ଅଫିସରେ ଜୀଅନ୍ତା ସାପ ଛାଡିଦେଲେ

ଲୋକଙ୍କ ଅଭିଯୋଗ ଶୁଣିବାକୁ ବସିଛନ୍ତି ଅଧିକାରୀ । ଯଦି ଅଧିକାରୀ ଲୋକଙ୍କ କଥା ନଶୁଣନ୍ତି ତେବେ ଅଭିଯୋଗକାରୀ ନିରାଶ ହୁଅନ୍ତି । ହେଲେ ଏଠି ଅଭିଯୋଗକାରୀ କିଛି ଅଲଗା ପନ୍ଥା ଆପଣେଇଛନ୍ତି । ହାଇଦ୍ରାବାଦରେ ଏଭଳି ଏକ ଘଟଣା ଘଟିଛି ।
ସୂଚନା ମୁତାବକ ଅଲୱାଲ ୱାର୍ଡରେ ସମ୍ପତ୍ତ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଘରେ ବାରମ୍ବାର ସାପ ପଶିଯାଉଥିବାବେଳେ ସେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ (ଜିଏଚଏମସି) ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ। ଏହା ପରେ ଅଭିଯୋଗକାରୀ ସମ୍ପତ୍ତ ନିଜେ ସାପଟିକୁ ଧରି ମ୍ୟୁନିସିପାଲିଟି କର୍ପୋରେସନ୍ କାର୍ଯ୍ୟାଳୟକୁ ନେଇଗଲେ। ଏହା ପରେ ଅଧିକାରୀଙ୍କ ଟେବୁଲ ଉପରେ ସାପଟିକୁ ଛାଡିଦେଇଥିଲେ । ସାପକୁ ଦେଖି ଭୟରେ ଏଣେତେଣେ ଦୌଡିଥିଲେ ସରକାରୀ ବାବୁମାନେ ।
ଏହି ଘଟଣାକୁ ନେଇ ଜିଏଚଏମସି ପକ୍ଷରୁ କୁହାଯାଇଛି ଯେ ସାପ ଧରିବାକୁ ସେମାନଙ୍କର ଟିମ ନାହିଁ ।ଯେତେବେଳେ ସେମାନେ ସାପ ସମ୍ବନ୍ଧୀୟ ଅଭିଯୋଗ ପାଆନ୍ତି, ସେମାନେ ଜଙ୍ଗଲ ବିଭାଗର ସାହାଯ୍ୟ ନିଅନ୍ତି ।
Powered by Froala Editor