ନାମଫଳକ ଲେଖି ନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ନାହିଁ ନିସ୍ତାର, ୧୦୯ ବ୍ୟବସାୟ ପ୍ରତିଷ୍ଠାନକୁ ନୋଟିସ୍
ଭୁବନେଶ୍ବର: ଓଡ଼ିଆରେ ନାମଫଳକ ଲେଖି ନଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଏଥର ନିସ୍ତାର ନାହିଁ। ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ ଅନୁସାରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ। ବିଭାଗ ପକ୍ଷରୁ ରାଜଧାନୀ ସମେତ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଭୁବନେଶ୍ବରରେ ୧୦୯ଜଣ ବ୍ୟବସାୟୀଙ୍କୁ ନୋଟିସ୍ ହୋଇଛି। ତୁରନ୍ତ ଓଡ଼ିଆରେ ନାମଫଳକ ନଲେଖିଲେ ମୋଟା ଅଙ୍କର ଜରିମାନା ଏବଂ ଆବଶ୍ୟକ ପଡ଼ିଲେ ମାମଲା ରୁଜୁ କରିବ ଶ୍ରମ ବିଭାଗ।
ରାଜଧାନୀରେ ନିୟମ ପ୍ରଣୟନ ହୋଇଥିଲେ ହେଁ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାରେ ସର୍ବାଧିକ ନିୟମ ଖିଲାପକାରୀଙ୍କୁ ଦେଖିବାକୁ ମିଳୁଛି। ବିଶେଷ କରି ବିଭିନ୍ନ ବ୍ରାଣ୍ଡର ସୋରୁମ୍, ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, କର୍ପୋରେଟ୍ ଅଫିସ୍ଗୁଡ଼ିକରେ ଓଡ଼ିଆ ନାମ ଫଳକ ଲଗାଯାଇନାହିଁ। ବିଭାଗ ପକ୍ଷରୁ ତାଗିଦ୍ କରାଯାଇଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଇଂରାଜୀ ଅକ୍ଷର ଅପେକ୍ଷା ଓଡ଼ିଆ ଅକ୍ଷରକୁ ଅତି ଛୋଟ ଆକାରରେ ଲେଖାଯାଉଛି। ଯାହାକୁ ନେଇ ସଚେତନ ନାଗରିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
ଓଡ଼ିଶା ଶ୍ରମ ଆୟୁକ୍ତ ଏନ୍ ତିରୁମାଲା ନାୟକଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଣବ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରମ ବିଭାଗ ପକ୍ଷରୁ ଓଡ଼ିଆରେ ନାମଫଳକ ଲେଖିବା ନେଇ ଖୋର୍ଦ୍ଧା ପୌର ପରିଷଦ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚଢ଼ଉ କରାଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜଧାନୀର ପଟିଆ, ମାଷ୍ଟର କ୍ୟାଣ୍ଟିନ୍, ୟୁନିଟ-୨, ସହିଦ ନଗରରେ ଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେସ୍ତୋଁରା, ଘଣ୍ଟା ଦୋକାନ, ଷ୍ଟେସନାରି ଆଦି ୧୦୯ଟି ଦୋକାନକୁ ଯାଞ୍ଚ୍ କରାଯାଇଛି। ଏଥିମଧ୍ୟରୁ ୪୩ଟି ବାଣିଜ୍ୟ ପ୍ରତିଷ୍ଠାନ ତୁରନ୍ତ ତାଙ୍କର ନାମଫଳକ ଓଡ଼ିଆରେ ଲେଖି ଶ୍ରମ ବିଭାଗ ନିକଟରେ ଦାଖଲ କରିଛନ୍ତି।
Powered by Froala Editor