ରିଲ୍ସ କରୁ କରୁ ଗୁଳି ଫୁଟିଗଲା ଛାତିରେ
ମୋବାଇଲ୍ ରିଲ୍ ଏବଂ ସୋସିଆଲ ମିଡିଆର ନିଶା ପୁଣି ଜଣେ ଯୁବକଙ୍କ ଜୀବନ ନେଇଛି । ଯୁବକ ଜଣକ ବନ୍ଧୁକରେ ରିଲ୍ସ କରୁ କରୁ ପ୍ରାଣ ହରାଇଛନ୍ତି । ପୂର୍ବ ଦିଲ୍ଲୀର ଦଲ୍ଲୁପୁରା ଅଞ୍ଚଳରୁ ଏ ଘଟଣା ସାମ୍ନାକୁ ଆସିଛି । ଦାଦା ପୁଅ ଭାଇର ବନ୍ଧୁକ ସହ ରିଲ୍ ବନାଇବା ସମୟରେ ୨୮ ବର୍ଷୀୟ ଯୁବକ ପବନ କୁମାରଙ୍କ ବନ୍ଧୁକରୁ ଗୁଳି ଫୁଟି ମୃତ୍ୟୁ ଘଟିଛି ।
ଘଟଣା ସମୟରେ, ପବନଙ୍କ ଦାଦା ପୁଅ ଭାଇ ହିମାଂଶୁ ନିଜ ମୋବାଇଲରେ ଭିଡିଓ ରେକର୍ଡ କରୁଥିଲେ । ଭିଡିଓରେ ହିମାଂଶୁଙ୍କୁ କହୁଥିବାର ଶୁଣାଯାଉଛି, "ଭାଇ ଚଲାଇ ଦେବୁନି ।’ ମାତ୍ର ସେତିକି ବେଳକୁ ଅଘଟଣ ଘଟି ଯାଉଛି । ଗୁରୁତର ଅବସ୍ଥାରେ ପବନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନ୍ୟୁ ଅଶୋକ ନଗର ଥାନା ପୁଲିସ ଏହି ମାମଲାରେ ପବନଙ୍କ ଭାଇ ହିମାଂଶୁଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ କଲେ୍ପବଲ୍ ହୋମିସାଇଡ୍ ନଟ୍ ଆମାଉଣ୍ଟିଙ୍ଗ ଟୁ ମର୍ଡର ଏବଂ ଆର୍ମସ ଆକ୍ଟ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରୁ ପୁଲିସ ସେହି ପିସ୍ତଲ ଏବଂ ୧୦ଟି ଜୀବନ୍ତ ଗୁଳି ଜବତ କରିଛି । କ୍ରାଇମବ୍ରାଞ୍ଚ ଏବଂ ଫରେନସିକ ଟିମ୍ ମଧ୍ୟ ନମୁନା ସଂଗ୍ରହ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଲାଲ୍ ବାହାଦୂର ଶାସ୍ତ୍ରୀ ହସ୍ପିଟାଲକୁ ପଠାଯାଇଛି ।
ପୁଲିସ ସୂଚନା ଅନୁଯାୟୀ, ୧୬ ମାର୍ଚ୍ଚ ସେ ନିଜ ଭାଇ ହିମାଂଶୁଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲ ଧରି ଏକ ଭିଡିଓ ସୁଟ୍ କରୁଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ, ପବନ ପିସ୍ତଲରେ ମ୍ୟାଗଜିନ୍ ଲୋଡ୍ କରୁଛନ୍ତି ଏବଂ ତା' ପରେ ହଠାତ୍ ବନ୍ଧୁକଟିକୁ ନିଜ ଛାତିରେ ଲଗାଇ ଟ୍ରିଗର ଟିପି ଦେଉଛନ୍ତି । ଗୁଳିଟି ହଠତ୍ ଫୁଟି ତାଙ୍କ ଛାତିର ବାମ ପାଶ୍ୱର୍ରେ ବାଜୁଛି ।
Powered by Froala Editor