ଗୁପ୍ତେଶ୍ୱର ପୀଠ ପାଇଁ ୨୦ କୋଟି ମଞ୍ଜୁର
ନୂଆ ରୂପରେ ରୂପାନ୍ତରିତ ହେବ ଗୁପ୍ତେଶ୍ୱର ପୀଠ । କୋରାପୁଟ ଜିଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ଫେବୃୟାରୀ ୩ ତାରିଖରେ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳଙ୍କୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ ଜିଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।
ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତିକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡାଲାଇଟ୍ସ ପଥର ବିଛାଇବା, ମନ୍ଦିର ପ୍ରବେଶ ଦ୍ୱାରର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ଯଥା ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫାର ଆଲୋକୀକରଣ, ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠା ଦୋକାନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ଼ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ।
Powered by Froala Editor