ମୁଁ ଏବେ ଦାବି କରୁଛି ରତ୍ନଭଣ୍ଡାର ଖୋଲାଯାଉ: ନରସିଂହ ମିଶ୍ର

ଭୁବନେଶ୍ୱର: ରତ୍ନଭଣ୍ଡାର ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବଡ ବୟାନ । ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି । କିନ୍ତୁ ମୁଁ ବିଫଳ ହୋଇଥିଲି ବୋଲି କହିଲେ ବିଧାୟକ ନରସିଂହ ମିଶ୍ର । ସେତେବେଳେ ମୋ ଉପରେ ଚାପ ପଡିଥିଲା । ମୋ ସରକାର ମତେ କହିଥିଲେ ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ,ମୁଁ ଏବେ ଦାବି କରୁଛି ରତ୍ନଭଣ୍ଡାର ଖୋଲାଯାଉ ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ଏଣେ ରତ୍ନଭଣ୍ଡାର ଖୋଲିବାକୁ ସରକାର ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କଲେ ଶରତ ପଟ୍ଟନାୟକ। ରତ୍ନଭଣ୍ଡାର ପ୍ରସଙ୍ଗରେ ପିସିସି ଶରତ ପଟ୍ଟନାୟକ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ଗଜପତି ମହାରାଜା, ଶଙ୍କରାଚାର୍ୟ୍ୟ ଓ ସେବାୟତ ଚାହୁଁଛନ୍ତି । ଯଦି ସମସ୍ତେ ଚାହୁଁଛନ୍ତି ତେବେ ସରକାର ଖୋଲିବା କଥା । ହେଲେ ଚାବି ହଜିବା ବାହାନା କରି ସରକାର ଚୁପ୍ ବସିଛନ୍ତି କାହିଁକି । ବିଭ୍ରାଟ ହୋଇଥିବାରୁ ସରକାର ଏଭଳି କରୁଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲାଯିବା ଦରକାର। ଗଜପତିଙ୍କ ପରେ ଏପରି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର (ଜଗୁନି)। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାରରେ ପାଣି ଗଳୁଛି। ଜିନିଷ ନଷ୍ଟ ହେଉଛି। ନିହାତି ଖୋଲାଯାଉ। ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ ବୋଲି ଜଗୁନି କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ ଖତ ହେଉଛି। ତେଣେ ପ୍ରଭୁ ଗୋଟିଏ ସେଟ୍ ପିନ୍ଧୁଛନ୍ତି। ମହାପ୍ରଭୁଙ୍କର ଗୋଟିଏ କାହିଁକି ୧୦/୧୫ ସେଟ୍ ଅଳଙ୍କାର ହେଉ। ରାଜ୍ୟ ସରକାର ଚାହିଁଲେ ଦାତାଙ୍କ ଜରିଆରେ ଅଳଙ୍କାର ସେଟ୍ କରିପାରିବେ। ସରକାର ଖାଲି ଘୋଷଣା କରନ୍ତୁ, ଦାତା ସୁନା ଗଦା କରି ପକାଇବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।
Powered by Froala Editor