ରତ୍ନଭଣ୍ଡାର କିଭଳି ଅବସ୍ଥାରେ ଅଛି ତାର ଯାଞ୍ଚ ହେବା ଦରକାର:ବିନାୟକ ଦାସମହାପାତ୍ର
ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦରକାର। ରତ୍ନଭଣ୍ଡାରରେ କଣ ଅଛି ଓ କିଭଳି ଅବସ୍ଥାରେ ଅଛି ତାର ଯାଞ୍ଚ ହେବା ଦରକାର। ରାଜା କପିଳେନ୍ଦ୍ର ଦେବ ଯେଉଁ ଗହଣା ଦେଇଥିଲେ, ସେଇଥିରେ ଚାଲିଛି ଏଯାଏ। ସେହି ଅଳଙ୍କାରରେ ମହାପ୍ରଭୁ ଏଯାଏ ଆଭୂଷିତ ହେଉଛନ୍ତି। ସରକାର ଯଦି ଚାହାନ୍ତେ, ଆହୁରି ଅଧିକ ସେଟ ଅଳଙ୍କାର ହୋଇପାରନ୍ତା। ସୁନା ଥାଳି ଭଣ୍ଡାର ଘରେ ପଡ଼ିଛି। ମହାପ୍ରଭୁ ପିତ୍ତଳ ଥାଳିରେ ଖାଉଛନ୍ତି। ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ଓ ତାର ମରାମତି ହେଉ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି।
ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ପାଣି ଗଳୁଛି। ତେଣୁ ଭଣ୍ଡାରରେ ଥିବା ହୀରା, ମୋତି, ମାଣିକ୍ୟ ଓ ଅନ୍ୟାନ୍ୟ ଅଳଙ୍କାର ନଷ୍ଟ ହୋଇଯିବା ଆଶଙ୍କା ପାଉଛି। ଏଥିସହ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ମତ ପ୍ରକାଶ ପାଇଲାଣି। ହେଲେ ରାଜ୍ୟ ସରକାର ନିଦା ବିଷ୍ଣୁ ପାଲଟି ଯାଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ପାଇଁ ସାମାନ୍ୟତମ ଉଦ୍ୟମ କରୁନାହାନ୍ତି। ଯାହାକୁ ନେଇ ପୂର୍ବରୁ ମହାରାଜା ଦିବ୍ୟସିଂହ ଦେବ ଉଦ୍ବେଗ ପ୍ରକାଶ କରିଥିଲେ। ଏବେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
Powered by Froala Editor