ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କଲେ ମିଳିଥାଏ ପୁଣ୍ୟ

ପୁରୀ: ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକଦିବସ ଦର୍ଶନରେ ସେତିକି ଫଳ ମିଳିଥାଏ ବୋଲି କହାଯାଏ। ପୁଣି ଦିନ ଅପେକ୍ଷା ରାତି ତଥା ସନ୍ଧ୍ୟା ଦର୍ଶନ ଅଧିକ ପୁଣ୍ୟ ଦେଇଥାଏ ବୋଲି ବିଶ୍ବାସ ରହିଛି। ନବଦିନାତ୍ମକ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ‘ସନ୍ଧ୍ୟା ଦର୍ଶନ’ ଅନୁଷ୍ଠିତ ହେଉଥିବା ବେଳେ ଏହା ଭକ୍ତଙ୍କ ପାଇଁ ଆଡ଼ପମଣ୍ଡପରେ ଶେଷ ଦର୍ଶନର ସୁଯୋଗ ଦେଇଥାଏ। ତେଣୁ ସନ୍ଧ୍ୟା ଦର୍ଶନ ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ।
ଜନମତରେ ନବମୀ ଦିନଟି ସନ୍ଧ୍ୟା ଦର୍ଶନ ଭାବେ ପରିଗଣିତ। ତେଣୁ ଏହିଦିନ ଭକ୍ତ ଓ ବ୍ରତଚାରିଣୀମାନେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହିତ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ଭୋଜନ କରାଇଲେ ଆତ୍ମତୃପ୍ତି ଲାଭ ହେବା ସହ ପୁଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଜୁଟିଥାଏ। ଶ୍ରୀବିଗ୍ରହମାନେ ଗୁଣ୍ଡିଚା ମନ୍ଦିରର ଯେଉଁ ସ୍ଥାନରେ ସପ୍ତାହେ ବ୍ୟାପୀ ଅବସ୍ଥାନ କରନ୍ତି ତାହାକୁ ଆଡ଼ପ ମଣ୍ଡପ କୁହାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ପୂର୍ବଦିନର ସନ୍ଧ୍ୟା ଦର୍ଶନ ବହୁ ପ୍ରାଚୀନ ସମୟରୁ ପ୍ରଚଳିତ ରହିଛି।
ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହୁଏ। ସନ୍ଧ୍ୟାର ଅର୍ଥ ଅନ୍ତିମ ବୋଲି ବୁଝିବାକୁ ପଡ଼ିବ ବୋଲି ଗବେଷକ ଭାସ୍କର ମିଶ୍ର ଉଲ୍ଲେଖ କରିଛନ୍ତି। ସନ୍ଧ୍ୟା ଦର୍ଶନ ଦିନ ଠାକୁରମାନଙ୍କର ବିଶେଷ ନୀତି ରହିଥିବାରୁ ରାତିରେ ଏକ ନିର୍ଦିଷ୍ଟ ସମୟରୁ ମନ୍ଦିର ଭିତରକୁ ପ୍ରବେଶ ନେଇ କଟକଣା କରାଯାଇଥାଏ।
Powered by Froala Editor