ଆମେରିକା ରାଷ୍ଟ୍ରପତି ଗୋଲ୍ଡ ସାର୍ଟିଫିକେଟ୍ ପାଇଲେ ଓଡ଼ିଆ ଝିଅ
ଆମେରିକାରେ ଆୟୋଜିତ ହେଉଥିବା ରାଷ୍ଟ୍ରପତି ଶିକ୍ଷା ସମ୍ମାନ କାର୍ଯ୍ୟକ୍ରମରେ ସମ୍ବଲପୁର କୁଞ୍ଜେଲପଡ଼ାର ସମ୍ବ୍ରିତ ଶେଖର ଡଲପତ୍ ଓ ସୁଜାତା ସାହୁଙ୍କ ଝିଅ ସମ୍ରତା ଡଲପତ୍(ଟ୍ୱିଙ୍କଲ୍) ପୁରସ୍କୃତ ହୋଇଛନ୍ତି । ପାଠ ପଢ଼ାରେ ଶ୍ରେଷ୍ଟ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସେ ସମ୍ମାନିତ ହୋଇଛନ୍ତି। ୧୦ ବର୍ଷୀୟ ସମ୍ରତା ଚତୁର୍ଥ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଏକାଡେମିକ୍ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ଶିକ୍ଷାକ୍ଷେତ୍ରରେ ଅନନ୍ୟ ପ୍ରତିଭା ପାଇଁ ତାଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଯାହା ସମ୍ବଲପୁର ତଥା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ତେବେ ନାତୁଣୀର ଏଭଳି କୃତିତ୍ୱ ପାଇଁ ବେଶ୍ ଆନନ୍ଦ ବ୍ୟକ୍ତ କରିଛନ୍ତି ତାଙ୍କ ଜେଜେ ବାପା ସୁଧାଂଶୁ ଡଲପତ୍ ।
ୟୁଏସ ପ୍ରେସିଡେଣ୍ଟାଲ ଗୋଲଡ୍ ସାର୍ଟିଫିକେଟ ହାସଲ କରିଥିବା ସମ୍ରତା Albion Elementary Schoolରେ ପଢ଼ନ୍ତି। ଓହିଓର ନର୍ଥ ରୟାଲଟନ୍ରେ ରହୁଥବା ସମ୍ରତାଙ୍କ ବାପା ସମ୍ରିତ୍ ଶେଖର ଡଲପତ୍ ପେଶାରେ ଇଞ୍ଜିନିୟର। ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ସମ୍ରତାଙ୍କ ନିଜ ଘର ହେଉଛି ସମ୍ବଲପୁର। ସେ ବେଙ୍ଗାଲୁରରେ ପ୍ରି-ନର୍ସରୀ ଓ ନର୍ସରୀ ପଢ଼ିଛନ୍ତି। ପରେ ସେ ବାପାଙ୍କ ସହ ଆମେରିକା ଚାଲି ଯାଇଥିଲେ। ଏବେ ସେ ସେଠାରେ ରହି ଅଧ୍ୟୟନ କରୁଛନ୍ତି। ତେବେ ପୁରସ୍କାର ଜିତିବା ପରେ ସମ୍ରତା ଏକ ଭିଡିଓ ବାର୍ତ୍ତା ଜାରି କରିବା ସହ ଏହି ପୁରସ୍କାର ପାଇଁ ନିଜକୁ ବେଶ୍ ଗର୍ବିତ ଅନୁଭବ କରୁଥିବା କହିଛନ୍ତି ।
ଓଡ଼ିଶାରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଥିବାରୁ ସେମାନଙ୍କ କଥା ବେଶ୍ ମନେ ପଡ଼ୁଥିବା ସେ କହିଛନ୍ତି । ତେବେ ତାଙ୍କ ରୁଚିକୁ ନେଇ ମଧ୍ୟ ସମ୍ରତା ସୂଚନା ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ପାଠ ପଢ଼ା ସାଙ୍ଗକୁ ତାଇକାଣ୍ଡୋ ଓ ମ୍ୟାଜିକ୍ ଟ୍ରିକ୍ର ଅଭ୍ୟାସ କରନ୍ତି ବୋଲି କହିଛନ୍ତି । ତାଇକାଣ୍ଡୋ ପାଇଁ ତାଙ୍କୁ ତାଙ୍କୁ ଅରେଞ୍ଜ ବେଲ୍ଟ ମଧ୍ୟ ମିଳିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।
Powered by Froala Editor