ଅଗଷ୍ଟ ୧୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ
ଭୁବନେଶ୍ୱର: ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ନୂଆ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଯାଇଛି । ଏନେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦୀଶ କୁମାର ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ନୂତନ ଏକାଡେମିକ ଅଧିବେଶନ ଆରମ୍ଭ କରିବା ପୂର୍ବରୁ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥିସହ ନାମଲେଖା ଫି ଫେରସ୍ତ ନେଇ ମଧ୍ୟ ଗୁରୁତ୍ୱ ଦେଇଛି ୟୁଜିସି । ଏଥି ପାଇଁ ଖୁବ୍ ଶୀଘ୍ର ୟୁଜିସି ପକ୍ଷରୁ ଏକ ସର୍କୁଲାର ଦିଆଯିବ । ସେପ୍ଟେମ୍ବର ୩୦ ସୁଦ୍ଧା ବାତିଲ ହୋଇଥିବା ନାମଲେଖାର ଟଙ୍କା ଫେରସ୍ତ ଦିଆଯିବ । ଚଳିତବର୍ଷ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଜୁନ୍ ୨୩ସୁଦ୍ଧା ଶେଷ ହୋଇଯାଇଛି । ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶିତ ହେବ । ତେଣୁ ପିଲାଙ୍କ ଶୈକ୍ଷିକ ବିକାଶକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୬ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ପାଠପଢ଼ା ଆରମ୍ଭ ହେବ । ନାମଲେଖା ଫି ଫେରସ୍ତ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି । ଏଥିପାଇଁ ସର୍କୁଲାର ପ୍ରସ୍ତୁତ କରାଯାଇଛି । ଯଦି ଜଣେ ଶିକ୍ଷାର୍ଥୀର ୩୦ ସୁଦ୍ଧା ନାମଲେଖା ବାତିଲ ହୁଏ ତେବେ ସଂପୂର୍ଣ୍ଣ ଫି ଫେରସ୍ତ କରାଯିବ । ସେହିପରି ଅକ୍ଟୋବର ୩୧ସୁଦ୍ଧା ଶିକ୍ଷାର୍ଥୀ ନିଜ ଆଡ଼ୁ ନାମଲେଖା ପ୍ରତ୍ୟାହାର କଲେ କେବଳ ୧୦୦୦ଟଙ୍କା କଟାଯାଇ ସମସ୍ତ ଫି ଫେରସ୍ତ କରାଯିବ । ଗତବର୍ଷ ୟୁଜିସିର କଠୋର ଆଇନ ଯୋଗୁ ହଜାର ହଜାର ପିଲା ଫି ଫେରସ୍ତ ପାଇଥିଲେ ।
Powered by Froala Editor