'ସକାଳୁ ସକାଳୁ ଯୋଗ କରିବା ଦ୍ୱାରା ଶରୀର ଶୁଦ୍ଧି ହୁଏ'
ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ, ଦେଶ ତଥା ବିଶ୍ବର ପ୍ରତ୍ୟେକ ସ୍ଥାନରେ ଏହି ଦିବସକୁ ଅତି ନିରାଡମ୍ବର ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଭାରତ ବିକାଶ ପରିଷଦ ସଦସ୍ୟମାନେ ଯୋଗାଭ୍ୟାସ କରୁଛନ୍ତି। ସକାଳୁ ସକାଳୁ ଯୋଗ କରିବା ଦ୍ୱାରା ଶରୀର ଶୁଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ। ତେଣୁ ନିଜକୁ ସୁସ୍ଥ ଓ ଶୁଦ୍ଧ ରଖିବା ପାଇଁ ସକାଳର ଆରମ୍ଭ ଯୋଗରୁ ହୁଏ। ଏଠାରେ ବିଭିନ୍ନ ଆସନ ସମେତ ସୂର୍ୟ୍ୟାସନ ଓ ହସକ୍ରିୟା କରୁଛନ୍ତି। ଖୁବ ଜୋରରେ ମନଖୋଲା ହସ ହସିଛନ୍ତି ସମସ୍ତ ସଦସ୍ୟ।
ଠିକ୍ ସେହିପରି ପଟିଆ କିଟ୍ ଜଗନ୍ନାଥ ମନ୍ଦିର ନିକଟସ୍ଥ ଭୁବନେଶ୍ୱର ଫିଟନେସ କ୍ଲବ ପକ୍ଷରୁ ଏକ ବଡ଼ ଧରଣର ଯୋଗ ଶିବିର ଆୟୋଜିତ ହୋଇଛି। ଭୁବନେଶ୍ୱର ଫିଟନେସ କ୍ଲବରେ ଆୟୋଜିତ ଏହି ଶିବିରରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କ୍ଲବର ସଦସ୍ୟ ଓ ସ୍ଥାନୀୟ ଜନତା ସକାଳୁ ଯେଗାଭ୍ୟାସ କରିଥିଲେ। ଏହି ଅବସରରେ ଜଣେ ପ୍ରତିଷ୍ଠିତ ସାଧୁଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ବକ୍ତବ୍ୟ କାର୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଯୋଗ ଶିବିର ପାଇଁ ପ୍ରାୟତଃ ତିନି ମାସ ଆଗରୁ ଯୋଗ ପ୍ରଶିକ୍ଷକ ତଥା ଫ୍ଲାଇଙ୍ଗ ଅଫିସର ଅବସରପ୍ରାପ୍ତ ବାୟୁସେନା ଅଧିକାରୀ, ବିଭୂତି ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବହୁ ମାତ୍ରାରେ କ୍ଲବର ସଦସ୍ୟ ଓ ସ୍ଥାନୀୟ ସାଧାରଣ ଜନତା ଯୋଗ ଅଭ୍ୟାସ ଜାରି ରଖିଥିଲେ ଏବଂ ଆଜି ଯୋଗ ଶିବିରର ସମସ୍ତ ଶ୍ରେୟ ତାଙ୍କର ବୋଲି କ୍ଲବର ସମସ୍ତ ସଦସ୍ୟ ମତ ଦେଇଥିଲେ।ଏଣେ ଜୟପୁର ସହରର ଆମ୍ୟୁଜମେଣ୍ଟ ପାର୍କରେ ଯୋଗ ଶିବିର ଆୟୋଜନ କରାଯାଇଛି। ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସହ ସହରର ଅନେକ ବୁଦ୍ଧିଜୀବୀ ଓ ପତଞ୍ଜଳି ସମିତିର କର୍ମକର୍ତ୍ତା ଉପସ୍ଥିତ ରହି ଯୋଗ ଶିଖାଉଛନ୍ତି।
Powered by Froala Editor