ତିନି ରଥରେ ବିରାଜମାନ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ଧାଡ଼ି ପହଣ୍ଡିରେ ତିନି ରଥରେ ବିରାଜମାନ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖଧ୍ଵନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ବାଜୁଛି ବିଜେ କାହାଳୀ। ପ୍ରଥମେ ଦେବଦଳନ ରଥରେ ବିରାଜମାନ ହେଲେ ଶ୍ରୀସୁଦର୍ଶନ।ଏହାପରେ ତାଳଧ୍ଵଜରେ ବଡ଼ ଭାଇ ବଳଭଦ୍ର ରଥାରୁଢ ହୋଇଛନ୍ତି। ଧାଡି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣିଛନ୍ତି। ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି ।ଏହାପରେ ଶୂନ୍ୟ ପହଣ୍ଡିରେ ରଥାରୁଢ ହେଲେ ମାଆ ସୁଭଦ୍ରା। ବଡ଼ଭାଇ ବଳଦେବଙ୍କ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ଧାଡି ପହଣ୍ଡିରେ ବାହାରିଥିଲେ।ଶେଷରେ ଗହଳି ଲଗାଇ ଦିବ୍ୟ ଟାହିଆ ହଲାଇ କାଳିଆ ଠାକୁର ନନ୍ଦିଘୋଷରେ ରଥାରୁଢ ହୋଇଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ସରିଛି।
ହରିବୋଲ ହୁଳହୁଳିରେ ଗଗନପବନ ପ୍ରକମ୍ପିତ ହେଉଛି। ଚାରିଆଡ଼େ ଭକ୍ତିମୟ ପରିବେଶ। ମର୍ଦ୍ଦଳା, ତୂରୀଭେରୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି। ଆଜି ଭକ୍ତଙ୍କ ଦୁଃଖ ନାଶ କରିବାକୁ ବଡ଼ ଠାକୁର ରତ୍ନ ସିଂହାସନରୁ ଓହ୍ଲାଇ ଆସିଛନ୍ତି। ବଡ଼ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି। ବଡ଼ଦାଣ୍ଡରେ ହଜାର ହଜାର ଉତ୍କଣ୍ଠିତ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ରଥ-ପଥ । ସବୁରି ପ୍ରତୀକ୍ଷା ସେହି ଦିବ୍ୟ କ୍ଷଣକୁ । ପବିତ୍ର ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିବ ରଥ ।
Powered by Froala Editor