ବିଜେଡି ନେତାଙ୍କୁ ଦୁର୍ବୁତ୍ତଙ୍କ ଗୁଳିମାଡ଼
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କୁ ବୁଧବାର ରାତି ୧୧ ଟାରେ ଦୁର୍ବୁତ୍ତମାନେ ଗୁଳିମାଡ଼ କରିଛନ୍ତି । କାହ୍ନୁଙ୍କ ଘର ଆଗରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଆହତ କାହ୍ନୁଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାତିରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୂର୍ବରୁ, ତାଙ୍କ ଘର ଉପରକୁ ବୋମା ମାଡ଼ ହୋଇଥିଲା । ଏଥିରେ ତାଙ୍କର ଏକ କାର୍ ନଷ୍ଟ ହୋଇଯାଇଥିଲା । ସେହିପରି ଗତ ୨ଠ୨୨ ଡିସେମ୍ବର ମାସ ୨୮ ତାରିଖରେ ସେ ଠିକାଦାରୀ ସମ୍ବନ୍ଧୀୟ କାମ ପାଇଁ ଢେଙ୍କାନାଳ ପିଡବ୍ଲୁଡି କାର୍ୟ୍ୟାଳୟକୁ ଆସିଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କୁ ଅପହରଣ ଉଦ୍ୟମ କରିଥିଲେ । ସେ ଦୁର୍ବୁତ୍ତଙ୍କ କବଳରୁ ଖସି ଯାଇ ପିଡବ୍ଲୁଡି କାର୍ୟ୍ୟାଳୟ ଭିତରକୁ ଦୌଡ଼ି ପଳାଇ ଥିବାବେଳେ ଦୁର୍ବୁତ୍ତମାନେ ତାଙ୍କୁ ଲକ୍ଷ କରିବନ୍ଧୁକରୁ ଗୁଳିଚାଳନା କରିଥିଲେ । ହେଲେ ସେ ଏଥିରୁ ବର୍ତ୍ତି ଯାଇଥିଲେ । ତାଙ୍କର ଏକ ନାଲି ରଙ୍ଗର କାରକୁ ଦୁର୍ବୁତ୍ତମାନେ ନେଇ ଯାଇଥିଲେ । ଘଟଣାର ଦିନକ ପରେ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଇଲାକା ଓସ୍ତପାଳ ଗ୍ରାମରୁ ଅପହରଣ ହେଇଥିବା କାରକୁ ଟାଉନ ଥାନା ପୁଲିସ ଉଦ୍ଧାର କରିଥିଲା । ହେଲେ ପୁନଶ୍ଚ ତାଙ୍କ ଉପରକୁ ଗୁଳିମାଡ଼ ନେଇ ନାନା ଆଲୋଚନା ହେଉଛି । ତେବେ ତାଙ୍କର ରାଜନୈତିକ ଶତ୍ରୁତା କାହାସହ ନଥିବା ବେଳେ ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଚର୍ଚ୍ଚା ହେଉଛି । ଖବର ପାଇ କାମାକ୍ଷାନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୋକାକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
Powered by Froala Editor