୭ ଦିନ ପାଣି ପିଇ ଡେଲିଭରି କାମ କରୁଥିଲେ, ଗ୍ରାହକ ଖୋଜିଦେଲେ ଚାକିରି
ଖରା ହେଉ କି ବର୍ଷା । ଯେକୌଣସି ମୁହୂର୍ତ୍ତରେ ଗ୍ରାହକ ଅର୍ଡର କରୁଥିବା ଖାଦ୍ୟକୁ ସଠିକ ସମୟରେ ପହଁଞ୍ଚାଇବାକୁ ଚେଷ୍ଟା କରିଥାଆନ୍ତି ଡେଲିଭରି ବଏ । ଏହି ସମୟରେ ଡେଲିଭରି ବଏ ଅନେକ ସମସ୍ୟାର ସାମ୍ନା ବି କରିଥାଆନ୍ତି।
ହେଲେ କିଛି ଗ୍ରାହକ ସେମାନଙ୍କୁ ତାଙ୍କ ପରିଶ୍ରମ ବଦଳରେ ଗାଳି ଦେଇଥାନ୍ତି । ଟିକେ ବିଳମ୍ବ ହେଲେ ଟଙ୍କା କାଟ୍ କରିବାକୁ ଧମକ ଦିଅନ୍ତି । କିନ୍ତୁ ଜଣେ ଭଲ ଗ୍ରାହକଙ୍କ ପାଇଁ ଡେଲିଭରି ବଏଙ୍କ ଜୀବନ ବଦଳି ଯାଇଛି । ଯେଉଁଥିରେ ଜଣେ ଲିଙ୍କଡଇନ ବ୍ୟବହାରକାରୀ ଜଣେ ଫୁଡ଼ ଡେଲିଭରି ବଏଙ୍କୁ ଭଲ ଚାକିରି ଦେବାରେ ସାହାଯ୍ୟ କରିଛନ୍ତି।
ଟେକ କମ୍ପାନି ଫ୍ଲେସରେ ମାର୍କେଟିଂ ମ୍ୟାନେଜର ପ୍ରିୟାଂଶୀ ଚନ୍ଦେଲ ଜଣେ ଡେଲିଭରି ବଏଙ୍କ କାହାଣୀ ସେୟାର କରିଛନ୍ତି। ଯିଏକି ଏକ ଆଇସ-କ୍ରିମ ଅର୍ଡର ନେଇ ତାଙ୍କ ଘରକୁ ଆସିଥିଲେ। ଡେଲିଭରିର ସମୟ ଯେତିକି ଥିଲା ତା'ଠାରୁ ବିଳମ୍ବରେ ଆସିବାରୁ ଚନ୍ଦେଲ ଡେଲିଭରି ବଏଙ୍କୁ ବିଳମ୍ବର କାରଣ ପଚାରିଥିଲେ।
ଡେଲିଭରି ବଏ ସାହିଲ ସିଂହ ଗ୍ରାହକଙ୍କୁ କହିଥିଲେ କି, ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତିନିକିମି ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡ଼ିଥିଲା। କାରଣ ମୋ ପାଖରେ ଟଙ୍କା କି କୌଣସି ଗାଡ଼ି ନ୍ଥିଲା। ଗୋଟିଏ ଖାଦ୍ୟ ଡେଲିଭରି ପାଇଁ ୨୦ରୁ ୨୫ଟଙ୍କା ମିଳିଥାଏ। ମୁଁ ପୂର୍ବରୁ ବି କାମ କରୁଥିଲି। ସେଠାରୁ ମୋତେ ୨୫ହଜାର ଟଙ୍କା ପାରିଶ୍ରମିକ ମିଳୁଥିଲା। କିନ୍ତୁ କରୋନା ପାଇଁ ଚାକିରି ଛାଡ଼ି ବୁଢ଼ା ବାପା ଓ ମା'ଙ୍କ ପାଖକୁ ଚାଲି ଯାଇଥିଲି। ବହୁତ ଖୋଜାଖୋଜି ପରେ ଚାକିରି ନମିଳିବାରୁ ଡେଲିଭରି ବଏ ଭାବେ କାମ କରୁଛି। ୭ଦିନ ହେବ ମୁଁ କିଛି ଖାଇ ନାହିଁ। କେବଳ ପାଣି ଆଉ ଚା' ପିଇ ରହିଛି। ମୁଁ କିଛି ମାଗୁ ନାହିଁ। ମୋ ପାଇଁ ଭଲ ଚାକିରିଟିଏ ଖୋଜି ଦିଅନ୍ତୁ।'ବୋଲି କହିଥିଲେ । ଏତିକି କଥା ତାଙ୍କ ହୃଦୟ ଛୁଇଁଥିଲା । ପରିଶ୍ରମ ଓ ନିଷ୍ଠା ଦେଖି ସେ ଡେଲିଭରି ବଏଙ୍କ ପାଇଁ ଚାକିରି ଖୋଜି ଦେଇଛନ୍ତି ।
Powered by Froala Editor