୧୬ ରୁ ସେପ୍ଟେମ୍ବର ୧୫ ବନ୍ଦ ରହିବ ଶିମିଳିପାଳ
ବାରିପଦା : ମୟୂରଭଞ୍ଜସ୍ଥିତ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆସନ୍ତା ଜୁନ ୧୬ତାରିଖରୁ ସେପ୍ଟେମ୍ବର ମାସ ୧୫ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ବ୍ୟାଘ୍ର ସଂରକ୍ଷଣର ଜାମୁଆଣୀ, ଗୁଡ଼ଗୁଡ଼ିଆ, କୁମାରୀ ଏବଂ ରାମତୀର୍ଥ ଆଦି ସ୍ଥାନରେ ଥିବା ଇକୋ ଟୁରିଜିମ କଂପ୍ଲେକ୍ସଗୁଡ଼ିକ ପର୍ୟ୍ୟଟକ ଏବଂ ପରିଦର୍ଶକଙ୍କ ଭ୍ରମଣ ପାଇଁ ଖୋଲା ରହିବ ବୋଲି ଆର୍ସିସିଏଫ ଡ. ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ।
ବର୍ଷା ଋତୁ ସମୟରେ ଜଙ୍ଗଲର ପାହାଡ଼ିଆ ରାସ୍ତାଗୁଡ଼ିକ ଧୋଇ ଯାଇଥାଏ । ଏଥିପାଇଁ ପର୍ୟ୍ୟଟକଙ୍କ ଜୀବନ ପ୍ରତି ବିପଦ ରହୁଥିବାରୁ ଅଭୟାରଣ୍ୟକୁ ପ୍ରବେଶ ବାରଣ କରାଯାଇଥାଏ । ବର୍ଷା ଋତୁ ଅନ୍ତେ ରାସ୍ତାଘାଟ ମରାମତି ପରେ ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟକୁ ପର୍ୟ୍ୟଟକଙ୍କ ପାଇଁ ଖୋଲା ଯାଇଥାଏ । ସେପ୍ଟେମ୍ବର ମାସ ୧୫ ତାରିଖ ପରେ ପର୍ୟ୍ୟଟକଙ୍କ ପାଇଁ ଶିମିଳିପାଳ କେବେ ଖୋଲା ହେବ ସେ ସଂପର୍କରେ ଗଣମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ ବିଭାଗ ପକ୍ଷରୁ ସୂଚନା ପ୍ରକାଶ କରାଯିବ ବୋଲି ଆର୍ସିସିଏଫ ପ୍ରକାଶ କରିଛନ୍ତି ।
Powered by Froala Editor