ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିବାରୁ ଯୁବକଙ୍କୁ ଗାଡି ତଳେ ଚାପି ଘୋଷାଡ଼ି ନେଲା ଚାଳକ
ମିର୍ଜାପୁରରେ ଅଭାବନୀୟ ଘଟଣା ଘଟିଛି । ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିବାରୁ ଜଣେ ଯୁବକଙ୍କୁ ଗାଡିରେ ଚାପି ଦିଆଯାଇଛି । ମୃତକ ଜଣକ ରାଜେଶଧର ଦୁବେ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜଣକ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ପ୍ରାୟ ୨୦ମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ନେଇଥିଲା। ଗାଡ଼ିରେ ବସିଥିବା ଅନ୍ୟ ଯାତ୍ରୀ ପାଟି କରିବାରୁ ଅଭିଯୁକ୍ତ ଗାଡ଼ି ଅଟକାଇ ସେଠାରୁ ଫେରାର ହୋଇଯାଇଥିଲା। ଘଟଣା ଘଟିବାର ୬ଘଣ୍ଟା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ମୁତାବକ, ରବିବାର ନିଜ ପୁତୁରାର ବିବାହରେ ଯୋଗ ଦେବା ପାଇଁ ରାଜେଶଧର ଦୁବେ ମିର୍ଜାପୁର ଯାଇଥିଲେ। ସୋମବାର ସକାଳେ ବିବାହ ଶେଷ ହେବା ପରେ ଦୁବେ ଏବଂ ତାଙ୍କ ସହଯୋଗୀ- ଲାଲ ଜୀ ମିଶ୍ରା, ଧିରେନ୍ଦ୍ର କୁମାର ପାଣ୍ଡେ ବୋଲେରୋରେ ଘରକୁ ବାହାରିଥିଲେ। ଅତିଥିମାନଙ୍କୁ ନେବା ଆଣିବା ପାଇଁ ବୋଲେରୋ ବୁକ୍ କରାଯାଇଥିବା ଜଣାପଡ଼ିଛି। ତେବେ କିଛି ବାଟ ଯିବା ପରେ ଦୁବେ ଏବଂ ଗାଡ଼ି ଚାଳକଙ୍କ ମଧ୍ୟରେ ଦେଶର ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁବେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାରୁ ଚାଳକ ରାଗରେ ତାଙ୍କୁ ଗାଡ଼ିରୁ ବାହାର କରି ଦେଇଥିଲେ। ଏହା ପରେ ଦୁବେ ବୋଲେରୋ ଆଗକୁ ଯାଇ କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଚାଳକଜଣକ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା।
Powered by Froala Editor