ଭୀଷଣ ବାତ୍ୟାରେ ପରିଣତ ହେଲା ‘ବିପର୍ୟ୍ୟୟ’
ଗାନ୍ଧିନଗର: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ୟ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଯଦିଓ ବାତ୍ୟା ବିପର୍ୟ୍ୟୟ ଉପକୂଳରେ ପହଞ୍ଚିବାକୁ ଆହୁରି ୨ ଦିନ ବାକି ଅଛି, କିନ୍ତୁ ଏହା ଏବେ ଏହାର ରୂପ ଦେଖାଇବା ଆରମ୍ଭ କରିଦେଲାଣି ଜ୍ଝ ତେବେ ଆଶ୍ବସ୍ତିର କଥା ହେଉଛି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବାତ୍ୟା ‘ବିପର୍ୟ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ ବୋଲି ଆକଳନ କରିଛି। ପାଣିପାଗ ବିଭାଗର ତାଜା ଆକଳନ ମୁତାବକ ବାତ୍ୟା ବିପର୍ୟ୍ୟୟ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ସୌରାଷ୍ଟ୍ର ଏବଂ କଚ୍ଛରେ ବୁଧବାର ପର୍ୟ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ଏବଂ ଗୁରୁବାର ଦିନ ଅତି ଉଚ୍ଚ ଜୁଆର ସହ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ବାତ୍ୟା ଯୋଗୁଁ କଚ୍ଛ, ଜାମନଗର, ମୋର୍ବି, ଗିର, ସୋମନାଥ, ପୋରବନ୍ଦର ଏବଂ ଦେବଭୂମି ଦ୍ବାରକା ପ୍ରଭାବିତ ହେବ। ଜୁନ୍ ୧୩-୧୫ ବେଳକୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଘଣ୍ଟାପ୍ରତି ୧୨୫ରୁ ୧୪୫ କିଲୋମିଟର ବେଗରେ ପବନ ବୋହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ଅନେକ ବନ୍ଦରକୁ ବନ୍ଦ କରାଯାଇଛି ।
Powered by Froala Editor