ବାତ୍ୟା ‘ୟଶ’ ସମୀକ୍ଷା ବୈଠକକୁ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଅର୍ଥାତ ଶୁକ୍ରବାର ଭୁବନେଶ୍ୱରରେ ବାତ୍ୟା ‘ୟଶ’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଥିଲେ । ତେବେ ଏହି ସମୀକ୍ଷା ବୈଠକକୁ ମୋଦୀ ପ୍ରଶଂସା କରିଛନ୍ତି । ଏନେଇ ସେ ଟୁଇଟ କରି ଓଡ଼ିଶାରେ ଫଳପ୍ରଦ ସମୀକ୍ଷା ବୈଠକ ହୋଇଥିବା କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶା ପ୍ରଶଂସନୀୟ ପଦକ୍ଷେପ ନେଇଛି । ବିପର୍ଯ୍ୟୟ ପରିଚାଳନା କ୍ଷମତା ବୃଦ୍ଧି ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ମୋଦୀ କହିଛନ୍ତି ।
ପ୍ରକାଶ ଯେ, ଗତକାଲି ମୋଦୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ସମୀକ୍ଷା ବୈଠକ ପରେ ସେ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକେପ୍ଟରରେ ମୋଦୀ ଆକାଶ ମାର୍ଗରୁ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱରର ସ୍ଥିତି ପରିଦର୍ଶନ କରିଥିଲେ । ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ମୋଦୀ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲେ ।
Powered by Froala Editor