ବସ୍ ଓଲଟି ୧୦ ମୃତ
ସିଡ୍ନି: ଅଷ୍ଟ୍ରେଲିଆର ହଣ୍ଟର୍ ୱାଇନ୍ ଅଞ୍ଚଳ ଅନ୍ତର୍ଗତ ସିଡ୍ନିର ଉତ୍ତର ପ୍ରାନ୍ତରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା କଥା ଆଜି ପୁଲିସ କହିଛି। ଗ୍ରେଟା ନାମରେ ଗୋଟାଏ ଛୋଟ ସହର ନିକଟରେ ଥିବା ‘ଜଙ୍କ୍ସନ୍’ରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଖବର ପୁଲିସକୁ ମିଳିଥିଲା।ସ୍ଥାନୀୟ ମେୟର୍ ଜେ ସୁବାଲ୍ଙ୍କ କହିବା ଅନୁସାରେ, ବସ୍ଟି ସମ୍ଭବତଃ ନିକଟରେ ଥିବା ଗୋଟାଏ ‘ୱାଇନ୍ ଇଷ୍ଟେଟ୍’ ଆୟୋଜିତ ବିବାହ ଭୋଜିରୁ ଫେରୁଥିଲା।
ବାହାଘର ଭୋଜିକୁ ଯିବା ପାଇଁ ଉକ୍ତ ବସ୍ଟି ଭଡ଼ାରେ ଅଣାଯାଇଥିଲା ବୋଲି ଜଣାପଡ଼ିଛି।
ପୁଲିସ କହିଛି, ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆହତ ହୋଇଥିବା ୧୧ଜଣ ବ୍ୟକ୍ତିଙ୍କୁ ହେଲିକପ୍ଟର୍ ଓ ସଡ଼କ ପଥରେ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଏହି ଦୁର୍ଘଟଣାରେ ୧୮ଜଣ ବ୍ୟକ୍ତି ଅନାହତ ଅଛନ୍ତି। କିନ୍ତୁ, ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ।ଘଟଣାଟି ଅପରାଧଭିତ୍ତିକ ବୋଲି ମନେ ହେବାରୁ ଉକ୍ତ ବସ୍ର ୫୮ ବର୍ଷିୟ ଡ୍ରାଇଭର୍ଙ୍କର କେତେକ ଶାରୀରିକ ପରୀକ୍ଷା କରିବା ଲାଗି ପୁଲିସ ପହରାରେ ଡାକ୍ତରଖାନାକୁ ନିଆଯାଇଛି।
Powered by Froala Editor